ବେସବଲରୁ ବିଦେଶ ଯାତ୍ରା : ସାଙ୍ଗସାଥୀଙ୍କ ସହ କ୍ରିକେଟ ଓ କବାଡି ଖେଳୁଖେଳୁ ଆନ୍ତର୍ଜାତୀୟ ଖେଳାଳି ହେଲେ ଯାଜପୁରର ୧୨ ବର୍ଷୀୟ ଅଭିଜିତ

46

କନକ ବ୍ୟୁରୋ : ଗାଁ ଦାଣ୍ଡରେ ସାଙ୍ଗସାଥୀଙ୍କ ସହ କ୍ରିକେଟ ଓ କବାଡି ଖେଳରୁ ଆନ୍ତର୍ଜାତୀୟ ଖେଳାଳି । ଛୋଟ ବେଳୁ ଖେଳ ପ୍ରତି ଅହେତୁକ ଆକର୍ଷଣର ଫଳ ଏବେ ମିଳିଛି । ଯାଜପୁର ଦାନଗଦିରୁ ତାଇୱାନ ଯାତ୍ରା । ମାଧ୍ୟମ ବେସବଲ ଗେମ । ଯାଜପୁର ରାଛିପୁର ଗାଁ ଅଭିଜିତ ରାଉତ ଖେଳ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ମାତ୍ର ୧୨ ବର୍ଷ ବୟସରୁ ସେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।

ଗାଁ ଦାଣ୍ଡରେ କବାଡି ଓ କ୍ରିକେଟ ଖେଳୁଖେଳୁ, ସେ ଆଜି ପାଲଟିଯାଇଛନ୍ତି ଆନ୍ତର୍ଜାତୀୟ ବେସବଲ ଖେଳାଳି । ଭାରତ ପକ୍ଷରୁ ତାଇୱାନରେ ଖେଳାଯିବାକୁ ଥିବା ଆନ୍ତର୍ଜାତୀୟ ବେସବଲ ଲିଟିଲ ପାଇଁ ସେ ମନୋନୀତ ହୋଇଛନ୍ତି । ୧୮ ଜଣିଆ ଭାରତୀୟ ଦଳରେ ଅଭିଜିତଙ୍କ ସହ ଆଉ ଦୁଇ ଓଡିଆ ମଧ୍ୟ ରହିଛନ୍ତି । ଆସନ୍ତା ୧୦ ତାରିଖରୁ ଅଭିଜିତ ଚଣ୍ଡିଗଡ କ୍ୟାମ୍ପରୁ ତାଇୱାନ ଅଭିମୁଖେ ଯାତ୍ରା କରିବେ । ଏହି ଖବର ଜଣାପଡିବା ପରେ ପରିବାର ଓ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳିଯାଇଛି ।

ଅଭିଜିତ ଯୁଝପଦା ସ୍କୁଲର ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ନିଜ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ତଥା ତାଙ୍କ କୋଚ୍ ରୂପଶ୍ରୀ ଲେଙ୍କା ତାଙ୍କୁ ବେଶ ଅନୁପ୍ରାଣିତ କରିଥିବା ସେ କୁହନ୍ତି । ବିଦେଶରେ ଖେଳିବା ପାଇଁ ମନୋନୀତ ହୋଇଥିବା ଅଭିଜିତ ପୂର୍ବରୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି । ସେପଟେ ସ୍ଥାନୀୟ ବିଧାୟକ ପ୍ରୀତିରଂଜନ ଘଡାଇ ଅଭିଜିତଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାରସ୍ୱରୁପ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏତେ କମ ବୟସରୁ ବିଦେଶରେ ଖେଳିବା ପାଇଁ ମନୋନୀତ ହୋଇଥିବା ଅଭିଜିତ ଏବେ ଦେଶକୁ ବିଜୟର ଟୀକା ପିନ୍ଧାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।