ହୁଣ୍ଡିରୁ ଚୋରି ଉଦ୍ୟମ ଅଭିଯୋଗ : ହରଡ଼ଘଣାରେ ଦାମ ମହାସୁଆର

20

କନକ ବ୍ୟୁରୋ: ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ହୁଣ୍ଡିରୁ ଚୋରି ଉଦ୍ୟମ କରୁଥିବା ଅଭିଯୋଗ କରି ଦାମୋଦର ମହାସୁଆର ହରଡ଼ଘଣାରେ ପଡ଼ିଛନ୍ତି । ଏ ନେଇ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିଛି । କେଉଁ ଆଧାରରେ ସେ ଏଭଳି ବଡ଼ ଅଭିଯୋଗ କଲେ ତାର ପ୍ରମାଣ ଦେବା ପାଇଁ ନୋଟିସରେ କୁହାଯାଇଛି । ଅଭିଯୋଗ ପରେ ଏହାର ତଦନ୍ତ ହୋଇଥିଲେ ମଧ୍ୟ ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡ଼ିଛି । ହୁଣ୍ଡି ଗଣତି ସମୟରେ ଦାମୋଦର ମଧ୍ୟ ଉପସ୍ଥିତ ନଥିଲେ । ଏଣୁ କେଉଁ ସୂତ୍ରରୁ ଖବର ପାଇ ସେ ଗଣମାଧ୍ୟମରେ ପ୍ରକାଶ କଲେ ତାର ପ୍ରମାଣ ପ୍ରଶାସନ ପାଖରେ ଦାଖଲ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସକ ତାଙ୍କୁ ନୋଟିସ୍ କରିଛନ୍ତି ।

ତେବେ ନୋଟିସ୍ ପାଇବା ପରେ ଦାମୋଦର ଶ୍ରୀମନ୍ଦିର ପ୍ରଶାସନକୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସେଦିନର ଅଭିଯୋଗ ବାବଦରେ ସେ ଗଣମାଧ୍ୟମରେ କହିନାହାନ୍ତି । ବରଂ ପୂର୍ବରୁ ଏଭଳି ପ୍ରମାଣ ରହିଥିବାରୁ ଏହି ଅଭିଯୋଗ ମଧ୍ୟ ସତ୍ୟ ହୋଇପାରେ ବୋଲି ଅନୁମାନ କରି ତଦନ୍ତ ପାଇଁ ବୟାନ ରଖିଥିଲେ । ଭବିଷ୍ୟତରେ ହୁଣ୍ଡି ଗଣତିକୁ ଶୃଙ୍ଖଳିତ କରିବା ପାଇଁ ଏହା ତାଙ୍କର ପ୍ରୟାସ ଥିଲା ବୋଲି ସେ କହିଛନ୍ତି । ଏହା ପରେ ହୁଣ୍ଡି ଗଣତି ସ୍ଥଳରେ କ୍ୟାମେରା ସଂଖ୍ୟା ବଢ଼ିବା ସହ ବାହାରେ ସ୍କ୍ରିନ୍ ଲଗାଇ ଭକ୍ତମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛି ।

ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ହୋଇଛି । ଯେହେତୁ ପୂର୍ବରୁ ଅଭିଯୋଗ ଥିଲା ସେଥିପାଇଁ ଚୋରିର ଆଶଙ୍କା କରି ସେ ବୟାନ ଦେଇଥିବା କହିଛନ୍ତି । ଏହା ସହିତ ସେ ଆଉ ଏକ ଅଭିଯୋଗ ଆଣିଛନ୍ତି । ତାହା ହେଉଛି ହୁଣ୍ଡିରେ ପଡ଼ୁଥିବା ନଗଦ ଟଙ୍କା ଗଣତି କରି ସାର୍ବଜନୀନ କରାଯାଉଥିବା ବେଳେ ଅନ୍ୟ ମୂଲ୍ୟବାନ ପଦାର୍ଥ ସୁନା, ରୁପା, ହୀରା, ନୀଳା ପ୍ରଭୃତି ସାର୍ବଜନୀନ କରାଯାଉ ନାହିଁ । ଏହି ଗହଣାକୁ ନେଇ ବିଗତ ୩୫ ବର୍ଷର ହିସାବ କରାଗଲେ ଏହା ପଛରେ ଥିବା ବିରାଟ ରହସ୍ୟ ଉନ୍ମୋଚନ ହେବ ବୋଲି ସେ ଅଭିଯୋଗ କରିଛନ୍ତି ।