ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜଗା-ବଳିଆ ! ଏମ୍ସ ବେଡରେ ଖାଉଛି ଓ ବଲ୍ ଖେଳୁଛି ଜଗା

23

କନକ ବ୍ୟୁରୋ : ବଲ୍ ଖେଳୁଛି ଜଗା । ଦିଲ୍ଲୀ ଏମ୍ସରେ ଥିବା ଜଗା ନିଜ ହାତରେ ବିସ୍କୁଟ ଖାଉଥିବାର ସହ ବଲ୍ ଖେଳୁଛି । ଡାକ୍ତରଖାନାରେ ନିଜ ବେଡରେ ବସି ଜଗା ବଲ୍ ଖେଳୁଛି । ଆଉ ଏପରି ଦୃଶ୍ୟ ଏମ୍ସରେ ଏକ ଭିନ୍ନ ଭାବାବେଗ ସୃଷ୍ଟି କରିଛି । ଯୋଡାମୁଣ୍ଡ ଥିବା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଧିରେ ଧିରେ ଉଭୟ ସୁସ୍ଥ ହେବାରେ ଲାଗିଛନ୍ତି । ଜଗାର ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ହୋଇଥିବା ବେଳେ ବଳିଆକୁ ସୁସ୍ଥ ହେବାରେ ଅଧିକ ସମୟ ଲାଗୁଛି । ଏହାପୂର୍ବରୁ ଜଗା ମାଆ କେଳାରେ ବସିଥିବା ସହ ଗୀତ ଶୁଣୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ଅପରେସନଟି ବେଶ ଜଟିଲ ଥିଲା । କାରଣ ଏଥିରେ ଲାଗିରହିଥିବା ଉଭୟଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତର ଟିମ୍ ଗଠନ କରାଯାଇଥିଲା । ଏଥିରେ ନିଶ୍ଚେତକ, ହୃଦବିଭାଗ, ଶିଶୁ ଚିକିତ୍ସା ବିଭାଗ, ନ୍ୟୁରୋଲଜି ଆଦି ବିଭିନ୍ନ ବିଭାଗର ଡାକ୍ତର ରହିଥିଲେ । ଅପରେସନରେ ୨୦ ସର୍ଜନ ଓ ୧୦ ଆନାସଥେସିଆ ସ୍ପେଶାଲିଷ୍ଟ ଥିଲେ । ୨୫ ଘଂଟା ଧରି ଚାଲିଥିଲା ଏହି ଅପରେସନ । ତା ପୂର୍ବରୁ ଅଗଷ୍ଟ ୨୮ତାରିଖରେ ଦିଲ୍ଲୀ ଏମ୍ସରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ୪୦ ଜଣିଆ ଡାକ୍ତରୀ ଦଳ ୨୦ଘଂଟାରୁ ଅଧିକ ସମୟ ଧରି ଏହି ଅପରେସନ କରିଥିଲେ ।