ନିଆଁ ଲାଗିଲା ବେଳେ ତଦନ୍ତ ହୁଏ, କିନ୍ତୁ ତାପରେ କଣ ହୁଏ ! ଯାଞ୍ଚ ଚାଲୁଛି, ନିଆଁ ଲାଗୁଛି

49

କନକ ବ୍ୟୁରୋ : ନିଆଁ ଲାଗିଲା ବେଳେ ତଦନ୍ତ ହୁଏ, କିନ୍ତୁ ତାପରେ କଣ ହୁଏ । ଏହି ପ୍ରଶ୍ନ, ମନକୁ ଆସିବା ସ୍ୱାଭାବିକ । କାରଣ, କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଏକ ସପିଂ ମଲରେ ନିଆଁ ଲାଗିଲା ଏବଂ ଏହାପରେ କାରଣ ଖୋଜା ବି ହେଲା । ଏବଂ କୁହାଗଲା ଏଭଳି ଦୁର୍ଘଟଣାକୁ ରୋକିବାକୁ ସବୁ ପଦକ୍ଷେପ ନିଆଯାଉଛି । ଠିକ୍ ଏକ ମାସ ପରେ କଟକରେ ପୁଣି ସେହି ଦୁର୍ଘଟଣା ।

ସିଟି ଷ୍ଟାଇଲରେ ବଡ ଧରଣର ଅଗ୍ନିକାଣ୍ଡ ପରେ ଏବେ ଖୋଜାହେବ କାରଣ । ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର କମିଟି । ହେଲେ ପ୍ରାଥମିକ ଅନୁସନ୍ଧାନ ପରେ ଅଗ୍ନିଶମ ବିଭାଗ କହିଛି
ସିଟି ଷ୍ଟାଇଲରେ ନଥିଲା ପର୍ଯ୍ୟାପ୍ତ ଅଗ୍ନିନିର୍ବାପନ ବ୍ୟବସ୍ଥା । ଯେଉଁଥିପାଇଁ ଏତେବଡ ଅଗ୍ନିକାଣ୍ଡ ଘଟିଗଲା । କିଛି ଦିନ ତଳେ ଅଗ୍ନିଶମ ବିଭାଗ ପକ୍ଷରୁ କଟକର ସବୁ ସପିଂ ମଲରେ ଅଗ୍ନିନିର୍ବାପକ ବ୍ୟବସ୍ଥାର ଯାଂଚ ହୋଇଥିଲା । ୧୨ଟି ସପିଂ ମଲକୁ ନୋଟିସ ବି ହୋଇଥିଲା । ହେଲେ ସବୁ ଯେମିତି କାଗଜ କଲମରେ ବନ୍ଦ ହୋଇଯାଇଛି । ..

ଜାନୁଆରୀ ୪, ୨୦୧୮
ରାଜଧାନୀ ଭୁବନେଶ୍ୱରର ଡମଣା ଅଂଚଳରେ ଥିବା ସପିଂ ମଲରେ ଲାଗିଥିଲା ଭୟଙ୍କର ନିଆଁ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ ବି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା ।

୨୩ ଜାନୁଆରୀ , ୨୦୧୮
ପୁରୀ ଭିଆଇପି ରୋଡରେ ଏକ ଷ୍ଟାର ହୋଟେଲରେ ଅଗ୍ନିକାଣ୍ଡ ଘଟିଲା । ସୌଭାଗ୍ୟବଶତ ଏଥିରେ ବି କେହି ମୃତାହତ ହୋଇନଥିଲେ । ହେଲେ ବଡ ଧରଣର କ୍ଷତି ହୋଇଥିଲା ।

ଭୁବନେଶ୍ୱର ଭେନସ୍ ମଲରେ ନିଆଁ ଲାଗିବା ପରେ ହଠାତ୍ ସଜାଗ ହୋଇଉଠିଥିଲା ଅଗ୍ନିଶମ ବିଭାଗ । ରାଜଧାନୀର ସବୁ ସପିଂ ମଲରେ ଚାଲିଲା ଯାଂଚ୍ । ଲାଇସେନ୍ସ ଆବେଦନ କରିନଥିବା ସପିଂ ମଲରେ ନୋଟିସ ବି ଲାଗିଲା । ପରେ ପରେ କଟକ ଓ ପୁରୀ ଭଳି ସହରରେ କଡାକଡି ହେଲା ନିୟମ । ହେଲେ କଟକର ନିଆଁ ସେସବୁ ଉପରେ ପ୍ରଶ୍ନ ଠିଆ କରିଛି ।
ପ୍ରଶ୍ନ ଉଠୁଛି..
..ସପିଂ ମଲରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନକରି ଲୋକଙ୍କ ଜୀବନ ସହ କାହିଁକି ଖେଳ ଖେଳାଯାଉଛି?
.. ଅଗ୍ନିନିର୍ବାପନ ବ୍ୟବସ୍ଥା ନଥାଇ ସୋ ରୁମକୁ ଲାଇସେନ୍ସ ମିଳୁଛି କେମିତି?
.. ଯଦି ଆଗ୍ନିକାଣ୍ଡରେ କାହାର ଜୀବନ ଯାଏ ତେବେ ଏଥିପାଇଁ ଦାୟୀ ରହିବ କିଏ?