ସିଲଭର ସିଟିରେ ସାତ ଘଣ୍ଟା ହୁ ହୁ ହୋଇ ଜଳିଲା ସପିଂ ମଲ! ଛାରଖାର ହୋଇଗଲା କୋଟିଏ ଟଙ୍କାର ପୋଷାକ

38

କନକ ବ୍ୟୁରୋ : ସହର ମଝିରେ ସାତ ଘଂଟା ଜଳିଲା ସପିଂ ମଲ୍ । ଆଉ ବଡ ସୌଭାଗ୍ୟର କଥା ହେଉଛି, ଭୟଙ୍କର ଅଗ୍ନିକାଣ୍ଡରୁ ବର୍ତିଯାଇଛନ୍ତି ଗ୍ରାହକ । କଟକର ଜନଗହଳିପୂର୍ଣ୍ଣ ବାଦାମବାଡିରେ ହୁ ହୁ ହୋଇ ଜଳୁଥାଏ ‘ସିଟି ଷ୍ଟାଇଲ୍ ମଲ୍’ । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପ୍ରାଣ ପଣେ ଉଦ୍ୟମ କରୁଥାନ୍ତି, ନିଆଁ ଲିଭାଇବା ପାଇଁ , କିନ୍ତୁ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ତାକୁ ରୋକିବା ସମ୍ଭବ ହୋଇପାରିଲା ନାହିଁ । ଆଉ ପ୍ରାୟ ୭ ଘଂଟା ଧରି ଜଳିବାକୁ ଲାଗିଲା ସପିଂ ମଲ୍ ।

silver cityସକାଳ ପ୍ରାୟ ୧୧ ଟା । କଟକର ବ୍ୟସ୍ତ ବହୁଳ ବାଦାମବାଡି ଅଂଚଳରେ ଥିବା ସିଟି ଷ୍ଟାଇଲ୍ ସପିଂ ମଲରେ ହଠାତ୍ ଅଗ୍ନିକାଣ୍ଡ ଘଟିଲା । ତଳ ଫ୍ଲୋରରେ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିବା ପରେ ଚାରିଆଡେ ବ୍ୟାପିବାକୁ ଲାଗିଲା । କର୍ମଚାରୀ, ଗ୍ରାହକ ଯିଏ ଯୁଆଡେ ଦୈଡିବାରେ ଲାଗିଲେ । କିଛିକ୍ଷଣ ମଧ୍ୟରେ ନିଆଁର ଆଁରେ ଥିଲା ପୁରା ସୋରୁମ୍ ।

ତଳୁ, ତିନି ମହଲା ଯାଏଁ , ନିଆଁ ହିଁ ନିଆଁ । ହୁ ହୁ ହୋଇ ଜଳୁଥିଲା ସୋରୁମ୍ । ଆଉ ତା ଭିତରେ ଜଳୁଥିଲା କୋଟି କୋଟି ଟଙ୍କାର ପୋଷାକ । ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲା ୬ ଟି ଦମକଳ ଗାଡି । ଓଡ୍ରାଫ୍ ଟିମ୍ ବି ପହଁଚିଲେ । ନିଆଁ ଓ ପ୍ରବଳ ଧୁଆଁ ଭିତରେ ଆରମ୍ଭ ହେଲା ଅପରେସନ୍ । ଶତାଧିକ ଅଗ୍ନିଶମ କର୍ମଚାରୀ ଲାଗିପଡିଲେ ନିଆଁ ଲିଭାରେ । ହେଲେ ଆୟତକୁ ଆସୁନଥିଲା ସପିଂ ମଲର ଭୟଙ୍କର ନିଆଁ । ବରଂ ଆହୁରି ବ୍ୟାପିବାରେ ଲାଗିଥିଲା ।

ଦିନ ପ୍ରାୟ ୨ଟା । ବଡ ବଡ ପାଣି ପାଇପରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ । ଆଉ ଏହାରି ଭିତରେ ପୋଡି ପାଉଁଶ ହୋଇସାରିଥିଲା ପୁରା ସପିଂ ମଲ୍ । ସପିଂ ମଲ୍ କର୍ମଚାରୀଙ୍କ ସୂଚନା ଅନୁସାରେ ଛୋଟ ପିଲାଙ୍କ ପ୍ରାୟ ୪ ହଜାର ଡ୍ରେସ୍ ପେୟାର, ୨୫ ହଜାର ଜିନ୍ସ ଓ ମହିଳାଙ୍କ ୩ହଜାର ୫୦୦ ଡ୍ରେସ୍ ପୋଡି ପାଉଁଶ ହୋଇଯାଇଛି । ୬ ଘଂଟାର ଅପରେସନ୍ ।ଆୟତକୁ ଆସିଲା ନିଆଁ ।ଅପରାହ୍ନ ପ୍ରାୟ ୫ଟା । ନିଆଁ ଲିଭିଗଲା । ହେଲେ ସିଟି ଷ୍ଟାଇଲର କୋଟିଏ ଟଙ୍କାର ଡ୍ରେସ୍ ପୋଡି ପାଉଁଶ ହୋଇସାରିଥିଲା । ପାଖର ଆଉ ଗୋଟିଏ ସପିଂ ମଲ ଓ ୫-୬ଟି ଦୋକାନ ମଧ୍ୟ ପୋଡି ହୋଇ ଲକ୍ଷାଧିକ ଟଙ୍କାର କ୍ଷତି ହୋଇ ସାରିଥିଲା ।