ପ୍ରଥମେ ଭୂକମ୍ପ, ପରେ ସୁନାମୀ ! ଇଣ୍ଡୋନେସିଆରେ ପ୍ରକୃତିର ମହାତାଣ୍ଡବ, ୪ ଶହ ଅତିକ୍ରମ କଲା ମୃତ୍ୟୁ ସଂଖ୍ୟା, ଜାରି ରହିଛି ଉଦ୍ଧାରକାର୍ଯ୍ୟ ।

44

କନକ ବ୍ୟୁରୋ : ଇଣ୍ଡୋନେସିଆରେ ପ୍ରକୃତିର ମହାତାଣ୍ଡବ । ଭୂମିକମ୍ପ ପରେ ଭୟଙ୍କର ସୁନାମି ଆସିବା ଫଳରେ ମୃତ୍ୟୁ ସଂଖ୍ୟା ୪ ଶହ ଅତିକ୍ରମ କରିଛି । ଜନବସତିକୁ ମାଡି ଆସିଛି ସମୁଦ୍ର । ବିଶାଳ ଢେଉ ଗର୍ଜନ କରି ଭସାଇ ନେଇଛି ସହରକୁ । ଆଖି ପିଛୁଳାକେ ପାଣିର ସୁଅରେ ଭାସିଯାଇଛି ସବୁକିଛି । ବଡ ବଡ ବିଲଡିଂ, ଗାଡି ମୋଟର , ଘରଦ୍ୱାର ନିଶ୍ଚିହ୍ନ ହୋଇଯାଇଛି । ଏବେ ବି ଅନେକ ଲୋକଙ୍କର ପତା ମିଳୁନାହିଁ । ଅନେକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ସୁନାନୀରେ ପାଲୁ ସହର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାଲୁର ସମୁଦ୍ରକୂଳରେ ବେଳାଭୂମି ଉତ୍ସବ ପାଳନ ବେଳେ ଲୋକ ଜମା ହୋଇଥିବାରୁ ଅନେକଙ୍କର ପରିଚୟ ମିଳିପାରିନାହିଁ । ସେପଟେ ସୁନାମୀ ପ୍ରଭାବିତ ଅଂଚଳରେ ଏବେ ଜୋରଦାର ହୋଇଛି ଉଦ୍ଧାରକାର‌୍ୟ୍ୟ ।

ପ୍ରଥମେ ଭୂକମ୍ପ ଏବଂ ପରେ ଆସିଥିବା ସୁନାମୀ, ଦେଶରେ ମହାପ୍ରଳୟ ଆଣିଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲର ୭.୫ ଥିଲା । ସୁନାମିରେ ଅନେକ ଘର ଭାଙ୍ଗିଯାଇଥିବା ବେଳେ କୁଢକୁଢ ମୃତଦେହ ପଡିରହିଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା ଆଶା କରାଯାଉଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପାଲୁ ସହରର ୭୫ କିଲୋମିଟର ଦୂରରେ ଥିଲା । ଭୂମିକମ୍ପରେ ପାଲୁ ସହରର ପ୍ରବଳ କ୍ଷୟକ୍ଷତି ହୋଇଛି । ୨୦୦୪ରେ ବି ଇଣ୍ଡୋନେସିଆରେ ଭୂମିକମ୍ପ ହୋଇଥିଲା । ଏଥିରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ । ସୁନାମୀ ଯୋଗୁଁ ୧୦ ଫୁଟର ଜୁଆର ଆସିଥିଲା । ଏଥିରେ ଶହ ଶହ ଲୋକ ଭାସିଯାଇଥିଲେ । ବର୍ତମାନ ସୁଦ୍ଧା ଶହ ଶହ ଲୋକ ନିଖୋଜ ଅଛନ୍ତି ।