ବାରବାଟୀରେ ଭାରତର ବଡ ବିଜୟ ! ୮୭ ରନରେ ଚିତପଟାଙ୍ଗ ମାରିଲା ସିଂହଳୀ ଦଳ

32

କନକ ବ୍ୟୁରୋ : ବାରବାଟୀରେ ଚମକିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷ ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୯୩ ରନରେ ବିଜୟୀ ହୋଇଛି ଭାରତ । ଯୁବ ସ୍ପିନର ଚହଲଙ୍କ ଚାଲ ଓ କୁଲଦୀପଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଛି ସିଂହଳୀ ଦଳ । ୮୭ ରନରେ ପୂରା ଦଳ ଚିତପଟାଙ୍ଗ ମାରିଛି । ଭାରତର ବୋଲିଂ ବାହିନୀ ଆଗରେ ମାତ୍ର ୧୬ ଓଭର ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା ସିଂହଳୀ ଦଳ । ଚହଲ ୪ ଓଭର ବୋଲିଂ କରି ୨୩ ରନ ବିନିମୟରେ ଶ୍ରୀଲଙ୍କାର ଟପ୍ ଅର୍ଡର ବ୍ୟାଟିଂକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିଥିଲେ । ସେହିଭଳି ଚାଇନାମ୍ୟାନ ବୋଲର କୁଳଦୀପ ଯାଦବ ମଧ୍ୟ ଶ୍ରୀଲଙ୍କା ବ୍ୟାଟସମ୍ୟାନଙ୍କୁ ନିଜ ବୋଲିଂରେ ବାନ୍ଧିକି ରଖିଥିଲେ । ୪ ଓଭର ବୋଲିଂ କରି ୧୮ ରନ ବିନିମୟରେ ୨ଟି ୱିକେଟ ଅକ୍ତିଆର କରି ସିଂହଳୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ତେବେ ଶ୍ରୀଲଙ୍କା ବ୍ୟାଟସମ୍ୟାନ ଉପୁଲ ଥରଙ୍ଗା ଦ୍ରୁତ ବ୍ୟାଟିଂ କରିଥିଲେ ସୁଦ୍ଧା ଏହା ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା ।

555_1513786491_618x347ଏହାପୂର୍ବରୁ ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୮୦ ରନ କରିଥିଲା । ପ୍ରାରମ୍ଭିକ ବିପଯ୍ୟୟ ପରେ ଦଳକୁ ଉଦ୍ଧାର କରିଥିଲେ ଲୋକେଶ ରାହୁଲ । ଲୋକେଶ କ୍ୟାରିୟରର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିବା ସହ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ତେବେ ଶେଷଆଡକୁ ଧୋନି ଓ ମନିଷ ପାଣ୍ଡେଙ୍କ ଦମଦାର ଇନିଂସ ବଳରେ ଭାରତ ୧୮୦ ରନ ପାର କରିଥିଲା । ଧୋନି କିଛି ଆକର୍ଷଣୀୟ ସଟ ଖେଳିବା ସହ ୨୨ ବଲରୁ ୩୯ ରନ ହାସଲ କରିଥିଲେ । ଠିକ୍ ସେହିଭଳି ମନୀଷ ପାଣ୍ଡେ ମଧ୍ୟ ଶେଷ ଆଡକୁ କିଛି ବଡ ସଟ ଖେଳିବା ସହ ୧୮ ବଲରୁ ୩୨ ରନ ସଂଗ୍ରହ କରିଥିଲେ । ଭାରତ ଏହି ବିଜୟ ସହ ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।