ଭାରତ ହାତରେ ଏସିଆ କପ୍ । ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ହରାଇ ୭ମ ଥର ଟାଇଟଲ ଜିତିଲା ଟିମ୍ ଇଣ୍ଡିଆ

54

କନକ ବ୍ୟୁରୋ : ଏସିଆ କପ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ୩ ୱିକେଟରେ ମାତ ଦେଇ ୭ମ ଥର ପାଇଁ ଏସିଆ କପ ଚାମ୍ପିୟନ ହୋଇଛି ରୋହିତ ବିଗ୍ରେଡ । ଶେଷ ବଲ ପର୍ଯ୍ୟନ୍ତ ଖେଳର ରୋମାଞ୍ଚ ଲାଗି ରହିଥିବା ବେଳେ ଏକ ରନ ନେଇ ଭାରତକୁ ବଡ ବିଜୟ ଦେଇଥିଲେ କେଦାର ଯାଦବ । ଭାରତୀୟ ମଧ୍ୟକ୍ରମ ବିଫଳ ହୋଇଥିଲେ ମଧ୍ୟ ଟେଲ ଏଣ୍ଡର ଭୁବନେଶ୍ୱର କୁମାର ଓ ରବୀନ୍ଦ୍ର ଜାଡେଜାଙ୍କ ମ୍ୟାଚ ବିଜୟୀ ଇନିଂସ ପାଇଁ ଦମଦାର ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ । ରବୀନ୍ଦ୍ର ଜାଡେଜାଙ୍କ ୨୩ ଓ ଭୁବନେଶ୍ୱର କୁମାର ୨୧ ରନ ବଳରେ ଏହି ମ୍ୟାଚକୁ ଜବରଦସ୍ତ କମବ୍ୟାକ କରିଥିଲା ଭାରତ । ଆଉ ଏହି ଦୁହିଁକ ଅଧୁରା ସ୍ୱପ୍ନକୁ ପୂରା କରିଥିଲେ ଆଘାତପ୍ରାପ୍ତ କେଦାର ଯାଦବ । ଆଉ ଏହି ବିଜୟ ସହ ଲଗାତାର ଦ୍ୱିତୀୟ ଥର ପାଇଁ ବାଂଲାଦେଶକୁ ଫାଇନାଲରେ ହରାଇଛି ଭାରତ ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଭାରତ । କିନ୍ତୁ ରୋହିତଙ୍କ ଏହି ନିଷ୍ପତିକୁ ଭୁଲ ପ୍ରମାଣିତ କରିଥିଲେ ବାଂଲାଦେଶର ପ୍ରାରମ୍ଭିକ ଯୋଡି । ପ୍ରଥମରୁ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିବା ସହ ଚାପ ପକାଇବାରେ ସକ୍ଷମ ହୋଇଥିଲେ ବାଂଲାଦେଶର ପ୍ରାରମ୍ଭିକ ଯୋଡି ଲିଟନ ଦାସ ଓ ମେହେଦି ହାସନ । ଗୋଟିଏ ପଟେ ଲିଟନ ଭାରତର ପ୍ରତ୍ୟେକ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ନିଜର ଶତକ ପୂରଣ କରିଥିଲେ । ପ୍ରଥମ ୱିକେଟରେ ୧୨୦ ରନ କରି ଦୃଢ ସ୍ଥିତିରେ ପହଞ୍ଚିଥିଲା ବାଂଲାଦେଶ ଟିମ୍ ।

ତେବେ ପ୍ରଥମ ୱିକେଟର ପତନ ପରେ ବାଂଲାଦେଶର ବ୍ୟାଟିଂ ଲାଇନ ଅପ ତାସ ଘର ପରି ଭୁଷୁଡି ପଡିଥିଲା । ଗୋଟିଏ ପଟେ ଲିଟନ ଧୈର‌୍ୟ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲେ ବାଂଲାଦେଶର ଅନ୍ୟ ବ୍ୟାଟସମ୍ୟାନ । ଗୋଟିଏ ପରେ ଗୋଟିଏ ୱିକେଟ ନେବା ସହ ବାଂଲାଦେଶର ରନଗତିରେ ଅଙ୍କୁଶ ଲଗାଇବା ସହ ଜବରଦସ୍ତ କମବ୍ୟାକ କରିଥିଲେ ଭାରତୀୟ ବୋଲର । ଶେଷ ଆଡକୁ ସୌମ୍ୟ ସରକାର କିଛି ଦର୍ଶନୀୟ ସଟ୍ ଖେଳିଥିଲେ ମଧ୍ୟ ବାଂଲାଦେଶ ବଡ ସ୍କୋର କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଆଉ ୨୨୨ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ବାଂଲାଦେଶ ଟିମ୍ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ କେଦାର ଯାଦବ ୨ଟି ଓ ଚହଲ,ବୁମରାହା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।