ଆକାଉଂଟ ଛାଣିବ ଆୟକର ! ୧୩ ଦିନରେ ବ୍ୟାଙ୍କକୁ ଆସିଲା ୨୦ ହଜାର କୋଟି

34

କନକ ବ୍ୟୁରୋ : ମୋଦିଙ୍କ ବିମୁଦ୍ରାକରଣ ଘୋଷଣା ପରେ ଓଡିଶାର ବ୍ୟାଙ୍କ ଗୁଡିକରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଜମା ହୋଇଛି । ଗତ ୧୩ ଦିନ ଭିତରେ ଏତେ ପରିମାଣର ଟଙ୍କା ଜମା ହେବା ପ୍ରଥମ ଘଟଣା । ସେପଟେ ଆୟକର ବିଭାଗ କହିଛି, ଓଡିଶାର ସମସ୍ତଙ୍କ ଜମା ଖାତା ଉପରେ ନଜର ରଖାଯାଇଛି । ପୂର୍ବରୁ ସେହି ବ୍ୟାଙ୍କ ଖାତା ଗୁଡିକରେ କେତେ ଜମା ହେଉଥିଲା ଏବଂ ଘୋଷଣା ପରେ କେତେ ଟଙ୍କା ଜମା କରାଯାଇଛି ତା ଉପରେ ନଜର ରଖାଯାଇଛି ।

ନଭେମ୍ବର ୮ ରାତିରେ ଏହି ଘୋଷଣା ସାରା ଓଡିଶାର ବ୍ୟାଙ୍କ ଗୁଡିକୁ ଚଳଚଂଚଳ କରିଦେଲା । ଯାହା କେବେ ଦେଖାଯାଇନଥିଲା ତାହା ଗତ ୧୩ ଦିନ ଭିତରେ ଘଟିଗଲା । ନଗଦ ଟଂକା କାରବାରରେ ମାନ୍ଦାବସ୍ଥା ଥିବା ବ୍ୟାଙ୍କ ଗୁଡିକରେ ବହୁ ପରିମାଣରେ ଟଙ୍କା ଜମା ହେବାରେ ଲାଗିଲା । ଗତ ୧୩ ଦିନ ଭିତରେ ୧୯ ହଜାର ୫୭୦ କୋଟି ଟଙ୍କାର ନଗଦ ଟଙ୍କା ଜମା କରାଯାଇଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଭୁବନେଶ୍ୱର ଶାଖା କହିଛି, ଏହା ଭିତରେ ୧୧ ହଜାର ୩୬୦ କୋଟି ଟଙ୍କାର ନୂଆ ନୋଟ୍ ବଜାରକୁ ଛଡାଯାଇଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା କ୍ରମେ ଆୟକର ବିଭାଗ କହିଛି, ଓଡିଶାର ସବୁ ବ୍ୟାଙ୍କ ଖାତା ଉପରେ ବିଭାଗ ନଜର ରଖିଛି । ଏନେଇ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦିଆଯାଇଛି । ଆପଣଙ୍କ ଆକାଉଂଟରେ ପୂର୍ବରୁ କେତେ ଜମା ହେଉଥିଲା ଏବଂ ବିମୁଦ୍ରାକରଣ ପରେ କେତେ ଜମା ହୋଇଛି, ତାଉପରେ ନଜର ରଖାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଓଡିଶାରେ ଆୟକର ବିଭାଗ ଏଯାଏଁ କାହାକୁ ନୋଟିସ୍ କରିନାହିଁ । ଡିସେମ୍ବର ୩୧ ଯାଏଁ ସମସ୍ତଙ୍କ ବ୍ୟାଙ୍କ ଖାତା ଉପରେ ବିଭାଗର ନଜର ରହିବା ପରେ ପଦକ୍ଷେପ ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ।