ପାକିସ୍ତାନର ‘ସୁଲତାନ୍’ ହେଲେ ଇମ୍ରାନ ଖାନ୍ : ଇସଲାମାବାଦ ପ୍ରେସିଡେଂଟ୍ ହାଉସରେ ପ୍ରଧାନମନ୍ତ୍ରୀ ଭାବେ କଲେ ଶପଥ ଗ୍ରହଣ

35

କନକ ବ୍ୟୁରୋ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍ ଖାନ୍ । ଇସଲାମାବାଦ ସ୍ଥିତ ପ୍ରେସିଡେଂଟ୍ ହାଉସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଇମ୍ରାନ୍ ଖାନ୍ । ଗତ ସାଧାରଣ ନିର୍ବାଚନରେ ତାଙ୍କ ଦଳ ପିଟିଆଇ ୧୧୬ ଆସନରେ ବିଜୟୀ ହେବା ସହ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଥିଲା । ଯେଉଁଥି ପାଇଁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ତେବେ ପାକିସ୍ତାନର ନବଗଠିତ ଜାତୀୟ ପରିଷଦର ଗତକାଲି ନିର୍ବାଚନ ହୋଇଥିଲା ।

ଯେଉଁଥିରେ ଇମ୍ରାନ୍ ୧୭୬ ଟି ଭୋଟ୍ ପାଇ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମୁସଲିମ୍ ଲିଗ୍ ନେତା ଶାହବାଜ ସରିଫ ୯୬ ଟି ଭୋଟ୍ ପାଇଥିଲେ । ଇମ୍ରାନ ଶପଥ ଗ୍ରହଣ ଉତ୍ସବରନ୍ତେ ଯୋଗ ଦେଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନଭଜ୍ୟୋତ ସିଂହ ସିଦ୍ଧୁ । ୱାଘା ବର୍ଡର ଦେଇ ଲାହୋରରେ ପହଁଚିବା ପରେ ସେଠାରୁ ବିମାନରେ ଇସଲାମାବାଦ ଯାଇଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

ପାକିସ୍ତାନ ତେହରୀକ-ଏ- ଇନସାଫର ମୁଖ୍ୟ ଇମରାନ୍ ଖାନ୍ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସଂସଦରେ ନିଜର ପ୍ରଥମ ସମ୍ବୋଧନରେ ପାକିସ୍ତାନକୁ ଲୁଟୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦୃଢ଼ୋକ୍ତି କରିଛନ୍ତି । ଏହା ବ୍ୟତୀତ ଇମ୍ରାମ କହିଛନ୍ତି ନୂତନ ନିର୍ବାଚନ ପ୍ରଣାଳୀ ବନାଇବେ ଯଦ୍ୱାରା ଭବିଷ୍ୟତରେ ନିର୍ବାଚନ ପ୍ରଣାଳୀ ଉପରେ କେହି ପ୍ରଶ୍ନ ଉଠାଇପାରିବେ ନାହିଁ ।