ଆଦର୍ଶ ଅଙ୍ଗନବାଡିର ଆଦର୍ଶ ଦିଦି ଶୁକ୍ରି କବାସୀ…ସ୍ୱାଭିମାନ ଅଞ୍ଚଳ ପାଇଁ ସାଜିଛନ୍ତି ପ୍ରେରଣା…ତାଙ୍କ ସ୍ନେହଶ୍ରଦ୍ଧା ଦେଖି ପାଠପଢିବାକୁ ଧାଇଁ ଆସୁଛନ୍ତି ପଛୁଆ ଅଂଚଳର କୁନି କୁନି ପିଲା

921

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳ ପାଇଁ ଜୀବନ୍ତ ପ୍ରେରଣାର ସ୍ରୋତ ଶୁକ୍ରି କବାସୀ । ବୟସ ପ୍ରାୟ ୨୫ ବର୍ଷ । କୋୟା ସଂପ୍ରଦାୟର ଏହି ଆଦିବାସୀ ଯୁବତୀ ଏବେ ପଛୁଆ ଅଂଚଳର ଜଣେ ଭିନ୍ନ ମଣିଷ ଭାବେ ପରିଚୟ ପାଇଛନ୍ତି । ଶୁକ୍ରି କବାସୀ ହେଉଛନ୍ତି ମାଲକାନଗିରି ବ୍ଲକ ତମସା ଗାଁର ଅଙ୍ଗନବାଡି ଦିଦି । ସ୍ୱାଭିମାନ ଅଂଚଳରେ ତାଙ୍କର କାମ ପାଇଁ କୁନି କୁନି ପିଲାଙ୍କ ପାଇଁ ପାଲଟିଛନ୍ତି ଆକର୍ଷଣର କେନ୍ଦ୍ର , ଗାଁ ଲୋକଙ୍କ ପାଇଁ ଗର୍ବ ଆଉ ସାରା ଅଂଚଳ ପାଇଁ ପ୍ରେରଣାର ସ୍ରୋତ । ତାଙ୍କର ସ୍ନେହଶ୍ରଦ୍ଧା ଓ ଭଲପାଇବାରେ ପଛୁଆ ଅଂଚଳରେ ପାଠପଢିବାକୁ ଧାଇଁ ଆସୁଛନ୍ତି ଅନେକ କୁନି କୁନି ପିଲା ।

୨୦୧୧ ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଶୁକ୍ରି । ତେବେ ଗୋଟିଏ ବିଷୟରେ ଫେଲ ହୋଇ ଯିବା ପରେ ସେ ପୁଣି ଥରେ ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଥିଲେ । ଏତିକି ବେଳେ ମାଡିଆସିଲା ସମସ୍ୟା । ବାପା ତାଙ୍କର ରୋଗରେ ପଡି ଶଯ୍ୟାଶାୟୀ ହୋଇଗଲେ । ଘରର ମୁରବୀ ସାହାଭରସାର କେନ୍ଦ୍ର ଶଯ୍ୟାଶାୟୀ ହେବା ଦ୍ୱାରା ପୂରା ପରିବାରର ବୋଝ ଆସି ପଡିଥିଲା ଶୁକ୍ରିଙ୍କ ଉପରେ । ଗାଁରେ ଅଙ୍ଗନବାଡି କର୍ମୀ ପଦ ଖାଲିଥିବାରୁ ୨୦୧୨ରେ ଏଥିପାଇଁ ଆବେଦନ କରି ନିଯୁକ୍ତି ପାଇଗଲେ । ତା ପରଠାରୁ ଆଉ ପଛକୁ ଚାହିଁ ନାହାନ୍ତି ଶୁକ୍ରୀ । ଘରେ ରୋଗୀଣା ବାପା ମାଆଙ୍କୁ ରନ୍ଧାବଢା କରି ଖାଇବାକୁ ଦେଇ ପ୍ରତିଦିନ ଆସିଥାନ୍ତି ଅଙ୍ଗନବାଡି କେନ୍ଦ୍ରକୁ । ନିଯୁକ୍ତି ପାଇବାର ମାତ୍ର ୭ ମାସ ପରେ ଆରପାରିକୁ ଚାଲିଯାଇଥିଲେ ଶୁକ୍ରିଙ୍କ ବାପା । ଏବେ ବୃଦ୍ଧା ମାଆଙ୍କ ଯତ୍ନ ନେବାର ଦାୟିତ୍ୱ ତାଙ୍କ ଉପରେ । ଶୁକ୍ରି ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କୁ ହସି ଖେଳାଇ ପାଠ ପଢାଉଛନ୍ତି । ଗାଁର ଗର୍ଭବତୀ ମହିଳାମାନଙ୍କର ଯତ୍ନ ମଧ୍ୟ ନେଉଛନ୍ତି । ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଉଛନ୍ତି । ଶୁକ୍ରିଙ୍କର ଏଭଳି ନିଷ୍ଠାପର ଉଦ୍ୟମ ଓ ସେବା ଯତ୍ନ ମନୋଭାବ ଦେଖି ଜିଲ୍ଲା ପଶାସନ ପକ୍ଷରୁ ତମସା ଅଙ୍ଗନବାଡି କେନ୍ଦ୍ରକୁ ଆଦର୍ଶ କେନ୍ଦ୍ର ଭାବେ ଘୋଷଣା କରିଛନ୍ତି । ଯାହା ସାରା ଅଂଚଳରେ ଖୁସି ଆଣିଦେଇଛି ।

ଅଙ୍ଗନବାଡି କେନ୍ଦ୍ରର ଘର ଗୁଡିକ ଅତି ଛୋଟ ଥିବାରୁ ପିଲାମାନେ ବସି ପାଠପଢିବା ଓ ଖେଳିବାରେ ସମସ୍ୟା ଦେଖା ଦେଉଥିଲା । ଶୁକ୍ରିଙ୍କ ଅନୁରୋଧ କ୍ରମେ ପ୍ରଶାସନ ତରଫରୁ ଅନୁଦାନ ମିଳିବା ପରେ ଏବେ ନୂଆ ଘର ପାଇଁ କାମ ଆରମ୍ଭ ହୋଇଛି । ତେବେ ଯେଉଁଦିନ ଏହି କାମ ପାଇଁ ଶ୍ରମିକ ନମିଳନ୍ତି ସେଦିନ ଶୁକ୍ରି ଅଂଟାରେ ଓଢଣୀ ଭିଡି କାମରେ ଲାଗି ପଡନ୍ତି । ବାଲି ଚଲାଇବା ସହ ସିମେଂଟ ଓ ବାଲି ଗୋଳେଇ ଘର ନିର୍ମାଣ କାମରେ ମିନ୍ତ୍ରୀଙ୍କୁ ବଢାଇ ଦିଅନ୍ତି ସହାୟତାର ହାତ । ଗୋଟିଏ ଲକ୍ଷ୍ୟ କେମିତି ଅଂଚଳର ପିଲାମାନଙ୍କ ପଢିବା ପାଇଁ ଖେଳିବା ପାଇଁ ଭଲ ଘରଟିଏ ଯେତେ ଶୀଘ୍ର ତିଆରି ହୋଇପାରିବ । ନିପଟ ମଫସଲ ଗାଁର ଆଦିବାସୀ ଝିଅ ହୋଇଥିଲେ ବି ଶୁକ୍ରି ନିଜ କର୍ତ୍ତବ୍ୟରୁ କେବେ ପଛଘୁଂଚା ଦେଇନାହାନ୍ତି । ଶୁକ୍ରୀଙ୍କ ଏପରି କର୍ତବ୍ୟନିଷ୍ଠା ଦେଖିବା ପରେ ଅଂଚଳବାସୀ ବି ତାଙ୍କୁ ନେଇ ଗର୍ବ କରୁଛନ୍ତି ଆଉ ଅଂଚଳରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରର ଆଦର୍ଶ ଦିଦି ଭାବେ ତାଙ୍କର ତିଆରି ହୋଇଛି ଭିନ୍ନ ପରିଚୟ ।