କନକ ବ୍ୟୁରୋ : ନିର୍ବାଚନୀ ମୈଦାନରେ ଚାଲିଛି କଡ଼ା ମୁକାବିଲା । କାହାକୁ କିଏ ଦେଉଛନ୍ତି ଟକ୍କର? କେଉଁ ଆସନରେ ହେବାକୁ ଯାଉଛି ବଡ ଲଢ଼େଇ? ୪ ଲୋକସଭା ଆସନରେ କାହା କାହା ମଧ୍ୟରେ ହେବ ବିଗ୍ ଫାଇଟ? ତାକୁ ନେଇ ଜନତାଙ୍କ ମଧ୍ୟରେ ଯେତିକି ଉକ୍ରଣ୍ଠା, ନେତାଙ୍କ ମଧ୍ୟରେ ସେତିକି ଆଶଙ୍କା । ବିଧାନସଭା ଲଢ଼େଇରେ ଶାସକ ଦଳର ନେତାଙ୍କୁ ଟକ୍କର ଦେଇ ପାରିବେ କି ବିରୋଧୀ ଦଳର ନେତା । ଏହାର ଉତ୍ତର ଆସନ୍ତାକାଲି ଭିଭିପାଟ ମେସିନରେ ଦେବେ ଭୋଟର ।
Kanak News is now on WhatsApp
Join and get latest news updates delivered to you via WhatsApp
ବ୍ରହ୍ମପୁର ଲୋକସଭା। ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱ ରଖୁଥିବା ଏହି ନିର୍ବାଚନୀ ମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ନିର୍ବାଚନୀ ମଇଦାନରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ । ଏହି ଆସନରୁ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଭୃଗୁ ବକ୍ସିପାତ୍ର ଓ କଂଗ୍ରେସ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ ।
କଳାହାଣ୍ଡି ଲୋକସଭା । ପଶ୍ଚିମ ଓଡ଼ିଶାର ଏହି ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀରେ ହେଉଛି ତ୍ରିମୁଖୀ ଟକ୍କର । ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ, ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଓ କଂଗ୍ରେସର ଭକ୍ତଚରଣ ଦାସଙ୍କ ମଧ୍ୟରେ ହେଉଛି ମୁକାବିଲା ।
ନବରଙ୍ଗପୁର ଲୋକସଭା । ଏହି ଲୋକସଭା ଆସନରେ ବାଜି ମାରିବାକୁ ତିନି ଦଳର ପ୍ରାର୍ଥୀ ତୟାର । ମଇଦାନରେ ରହିଛନ୍ତି ବିଜେଡି ପ୍ରାର୍ଥୀ ରମେଶ ମାଝି, କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝି ଓ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ।
କୋରାପୁଟ ଲୋକସଭା । କୋରାପୁଟ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ସାଂସଦ ଝିନ ହିକ୍କାଙ୍କ ପତ୍ନୀ କୌଶଲ୍ୟା ହିକକା । ନିର୍ବାଚନୀ ମଇଦାନରେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଜୟରାମ ପାଙ୍ଗି ଓ କଂଗ୍ରେସର ସପ୍ତଗିରି ଉଲ୍ଲାକା ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁଠି ହେବ ବିଗ୍ ଫାଇଟ୍ ।
ଦିଗପହଣ୍ଡି ବିଧାନସଭା । ଏହି ବିଧାନସଭା ଆସନରେ ରହିଛନ୍ତି ବିଜେଡିର ହେଭିୱେଟ୍ ନେତା ସୂର୍ଯ୍ୟନାରାୟଣ ପାତ୍ର । ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଟକ୍କର ଦେଉଛନ୍ତି ଜଣାଶୁଣା ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ । ସେହିପରି ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ପ୍ରଫୁଲ୍ଲ କୁମାର ପଣ୍ଡା ।
ଗୋପାଳପୁର ବିଧାନସଭା । ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ ବିଜେଡି ପ୍ରାର୍ଥୀ ଭାବେ ମଇଦାନରେ ରହିଛନ୍ତିି ଦଳର ଟାଣୁଆ ନେତା ତଥା ମନ୍ତ୍ରୀ ରହିଥିବା ଡକ୍ଟର ପ୍ରଦୀପ ପାଣିଗ୍ରାହୀ । ଆଉ ତାଙ୍କୁ କଡା ଟକ୍କର ଦେବାକୁ ବିଜେପିର ବିଭୂତି ଭୂଷଣ ଜେନା ଓ କଂଗ୍ରେସର ଧର୍ମରାଜ ରେଡ୍ଡି ପ୍ରତିଦ୍ୱନ୍ଦିତା କରୁଛନ୍ତି ଗୋପାଳପୁର ବିଧାନସଭା ଆସନରୁ ।
ବ୍ରହ୍ମପୁର ବିଧାନସଭା । ଏହି ସମ୍ମାନଜନକ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଟକ୍କର ଦେଉଛନ୍ତି ବିଜେପିର କାହ୍ନୁଚରଣ ପତି ଓ କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ ।
ପାରଳାଖେମୁଣ୍ଡି ବିଧାନସଭା । ଗଜପତି ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ ରାଜକୁମାରୀ କଲ୍ୟାଣୀ ଦେବୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । କଲ୍ୟାଣୀ ଦେବୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ କେ. ସୂର୍ଯ୍ୟା ରାଓ ଏବଂ ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ ।
ଜୟପୁର ବିଧାନସଭା । ଏହି ଆସନରେ ପୁଣିଥରେ ସାମନା-ସାମନି ହେଉଛନ୍ତି ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଓ କଂଗ୍ରେସ ପ୍ରାର୍ଥୀ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ବିଜେପିରୁ ଗୌତମ ସାମନ୍ତରାୟ ଉଭୟ ପୁରୁଖା ନେତାଙ୍କୁ କଡା ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇଛନ୍ତି ।