ଗାଁକୁ ଆସିବେ ଡ୍ରିମଗର୍ଲ ! ବିଜେଡିର ଷ୍ଟାର୍ ପ୍ରଚାରକଙ୍କୁ ଚ୍ୟାଲେଂଜ୍ ଦେବାକୁ ବିଜେପିର ରଣନୀତି

33

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ହେବ ଷ୍ଟାର୍ ୱାର୍ । ବିଜେଡିର ଷ୍ଟାର୍ ପ୍ରଚାରକଙ୍କ ଚ୍ୟାଲେଂଜ୍ ଦେବାକୁ ଏବେ ବିଜେପି କରୁଛି ରଣନୀତି । ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ବି ଆସୁଛନ୍ତି ଦଳୀୟ ପ୍ରଚାର ପାଇଁ । ଏବେ ଶୁଣାଯାଉଛି, ଦକ୍ଷିଣା ଓଡିଶାର ଦକ୍ଷିଣି ଭୋଟରଙ୍କ ପାଖକୁ ଆସି ପାରନ୍ତି ଡ୍ରିମଗର୍ଲ ହେମାମାଳିନୀ ଓ ସାଉଥ୍ ସୁପରଷ୍ଟାର୍ ପବନ କଲ୍ୟାଣ । କୁହାଯାଉଛି ଦକ୍ଷିଣ ଓଡିଶାର ଭୋଟରଙ୍କ ଭିତରେ ରହିଛି ଫିଲ୍ମ କ୍ରେଜ୍ । ତେଣୁ ଅଭିନେତାଙ୍କୁ ଆଣି ଭୋଟ୍ ହାତେଇବାକୁ ଏହି ଯୋଜନା କରୁଛି ବିଜେପି ।

ବ୍ରହ୍ମପୁର, ଗଜପତି, ରାୟଗଡା ଓ କୋରାପୁଟ୍ ଜିଲ୍ଲାରେ ଭୋଟରଙ୍କ ମନ ଜିଣିବାକୁ ବିଜେପି କରୁଛି ପ୍ରଚାରର ଭିତିରି ରଣନୀତି । ଯଦିଓ ଦଳୀୟ ସୂତ୍ର ଏଭଳି ଚର୍ଚ୍ଚାକୁ ଖଣ୍ଡନ କରୁଛି । ତେବେ କିଛି ବିଜେପି ସମର୍ଥିତ ପ୍ରାର୍ଥୀ ଏକାଠି ହୋଇ ଏହି ଦୁଇ ଫିଲ୍ମ ଷ୍ଟାରଙ୍କୁ ପ୍ରଚାର ପାଇଁ ଡାକିବାକୁ ଯୋଜନା କରୁଥିବା ଚର୍ଚ୍ଚା ଚାଲିଛି ।

ବିଜେଡି ପ୍ରଚାରର ମଙ୍ଗ ଧରୁଛନ୍ତି ମାଳମାଳ ଅଭିନେତା । କଂଗ୍ରେସ୍ ମଧ୍ୟ ନିଜ ଷ୍ଟାର୍ ପ୍ରଚାରକୁ କିଛି ଅଭିନବ କରିବାକୁ ମସୁଧା କରୁଛି । ନୂଆ ଷ୍ଟାର୍ କ୍ୟାମ୍ପେନର୍ ତାଲିକାରେ ଛତିଶଗଡ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଯୋଡି ବିଜେପି – ବିଜେଡିକୁ ଚ୍ୟାଲେଂଜ୍ ଦେବାକୁ ପ୍ରସ୍ତୁତ ହେଉଛି । ଆଉ ଏବେ ଦକ୍ଷିଣି ସ୍ପେଶାଲରେ ହେମାମାଳିନୀ ଓ ପବନ୍ କଲ୍ୟାଣଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ପଂଚାୟତ ପାଣି ଫୁଟିବା ଆରମ୍ଭ କରିଛି ।

ହେମା ଓ ପବନ ଆସିବା ହୁଏତ ଗୁଜବ ହୋଇଥାଇ ପାରେ । ହେଲେ ବିଜେପିର ଏହି ଷ୍ଟାର୍ ପବନ ଏବେ ବିରୋଧୀ ଶିବିରକୁ ଧସେଈ ପଶିଛି ।