ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ହରଭଜନ ସିଂଙ୍କ ବଡ଼ ବୟାନ୍ ! କହିଲେ ବିଶ୍ୱକପରେ ପାକିସ୍ତାନ ସହ କୌଣସି ମ୍ୟାଚ୍ ନଖେଳୁ ଭାରତ ।

417

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ବଡ଼ ବୟାନ୍ ଦେଇଛନ୍ତି କ୍ରିକେଟର୍ ହରଭଜନ ସିଂ । ସେ କହିଛନ୍ତି ଆତଙ୍କବାଦ ଜାରି ଥିବା ବେଳେ କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନ ସହ ଭାରତ କୌଣସି ମ୍ୟାଚ୍ ଖେଳିବା ଉଚିତ ନୁହେଁ  । ସେ କହିଛନ୍ତି ଆମେ ପ୍ରଥମେ ଭାରତୀୟ ପରେ ଜଣେ କ୍ର୍ରିକେଟ ଖେଳାଳୀ । ଦେଶଠାରୁ ଉପରେ ଓ ଗୁରୁତ୍ୱପୂର୍ଣ୍ଣ କୌଣସି ବିଷୟ ହୋଇନପାରେ ବୋଲି ସେ କହିଛନ୍ତି ।

ପୁଲୱାମା ପ୍ରସଙ୍ଗରେ ମୁହଁ ଖୋଲିଲେ ହରଭଜନ୍ । ପାକିସ୍ତାନ ସହ କ୍ରିକେଟ୍ ନ ଖେଳିବାକୁ ଦେଲେ ପରାମର୍ଶ । ପୁଲୱାମା ଘଟଣାକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ବାତାବରଣ ସୃଷ୍ଟି ହୋଇଥିବା ବେଳେ ମୁହଁ ଖୋଲିଛନ୍ତି କ୍ରିକେଟର୍ ହରଭଜନ ସିଂ । ଘରୋଇ ଚ୍ୟାନେଲ୍ ଆଜତକକୁ ସାକ୍ଷାତକାର୍ ଦେଇ ହରଭଜନ କହିଛନ୍ତି ଆଗାମୀ ବିଶ୍ୱକପରେ ପାକିସ୍ତାନ ସହ ଭାରତ କୌଣସି ମ୍ୟାଚ୍ ଖେଳିବା ଉଚିତ ନୁହେଁ । ଆମେ ପ୍ରଥମେ ଭାରତୀୟ ତା’ପରେ ଜଣେ କ୍ରିକେଟ୍ ଖେଳାଳୀ ବୋଲି ସେ କହିଛନ୍ତି  । ଦେଶଠୁ ଗୁରୁତ୍ୱପୂର୍ଣ୍ଣ କୌଣସି ବିଷୟ ହୋଇନପାରେ ବୋଲି ହରଭଜନ ସାକ୍ଷାତକାରରେ କହିଛନ୍ତି  ।

ହରଭଜନ କହିଛନ୍ତି

– କ୍ରିକେଟ୍ ହେଉ କି ହକି ପାକିସ୍ତାନ ସହ ଭାରତ କୌଣସି ମ୍ୟାଚ୍ ଖେଳିବା ଉଚିତ ନୁହେଁ  ।

– ଯଦି ଆଜି ଆମ ଭାଇମାନଙ୍କ ଉପରେ ଆକ୍ରମଣ ହେଉଛି ଓ ସେଥିରେ ପାକିସ୍ତାନ ସଂପୃକ୍ତ ତେବେ ପାକିସ୍ତାନ ସହ କୌଣସି ପ୍ରକାର ସମ୍ପର୍କ ରଖିବା ଉଚିତ ନୁହେଁ  ।

– ଇମ୍ରାନ କ୍ଷମତାକୁ ଆସିବା ପରେ ମତେ ଲାଗୁଥିଲା ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବ କିନ୍ତୁ ଏଭଳି ଘଟଣା ଜାରି ରହିଲେ ଭାରତ ଏହାର ଉଚିତ ଜବାବ୍ ଦେବ  ।

– କ୍ରିକେଟ ଏବଂ ଖେଳ ଖୁବ ମାମୁଲି ଜିନିଷ, ବଳିଦାନ ଦେଇଥିବା ଶହୀଦଙ୍କ ପରିବାର ସହ ଆମେ ଛିଡ଼ା ହେବା ଉଚିତ ଓ ବଳିଦାନ ବ୍ୟର୍ଥ ଯିବା ଅନୁଚିତ  ।

ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ସାରା ଦେଶ ଏକାଠି ହୋଇଛି । ବଲିଉଡରୁ ଆରମ୍ଭ କରି ଖେଳଜଗତ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ପାକିସ୍ତାନ ବିରୋଧୀ ପ୍ରତିକ୍ରିୟା । ଏବେ ହରଭଜନ ସିଂ ମଧ୍ୟ ଏହି ପ୍ରସଙ୍ଗରେ ପାକିସ୍ତାନକୁ ନିନ୍ଦା କରିବା ସହ କ୍ରିକେଟ୍ ନଖେଳିବାକୁ ଦେଇଛନ୍ତି ପରାମର୍ଶ ।