ଆତଙ୍କବାଦୀଙ୍କ ଆତ୍ମଘାତୀ ମିଶନ୍ ! ୨୧ଆତଙ୍କୀ ଭାରତ ଅନୁପ୍ରବେଶ କରିଥିବା ସୂଚନା, ୩ଟି ସ୍ଥାନରେ କରିପାରନ୍ତି ଫିଦାୟିନ୍ ହମଲା ।

423

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ଆକ୍ରମଣ ପଛରେ ଜୈସେ ମହମ୍ମଦ ଥିବା ସ୍ପଷ୍ଟ ହୋଇଥିବା ବେଳେ ଏଥିରେ ପାକିସ୍ତାନ ସଂପୃକ୍ତିର ମଧ୍ୟ ମିଳିଛି ପ୍ରମାଣ  । ସେପଟେ ବଡ଼ ଧରଣର ଆତ୍ମଘାତୀ ହମଲାକୁ ରୂପ ଦେବାକୁ ୨୧ ଜୈସେ ଆତଙ୍କୀ ଗତ ଡିସେମ୍ବର ମାସରେ କାଶ୍ମୀରରେ ଅନୁପ୍ରବେଶ କରିଥିବା ଗୁଇନ୍ଦା ସୂଚନା ମିଳିଛି  । ଏହାର ନେତୃତ୍ୱ ମାସୁଦ ଆଝାରର ଭଣଜା ମହମ୍ମଦ ଉମୈର୍ ନେଉଥିବା କୁହାଯାଉଛି  । ଅନ୍ୟ ପଟେ ପୁଲୱାମା ଆକ୍ରମଣରେ ପାକ୍ ମିଲିଟାରୀର ଆରଡିଏକ୍ସ ବ୍ୟବହାର ହୋଇଥିବା ଜଣାପଡ଼ିଛି  ।

୨୧ ଜୈସେ ଆତଙ୍କବାଦୀଙ୍କ ଆତ୍ମଘାତୀ ମିଶନ୍ । ଡିସେମ୍ବର ମାସରେ କରିଥିଲେ ଅନୁପ୍ରବେଶ । ପୁଲୱାମା ଆତ୍ମଘାତୀ ହମଲାର ମାଷ୍ଟର ମାଇଣ୍ଡ ଗାଜି ରାଶିଦ ଓରଫ୍ କାମରାନକୁ ନିପାତ କରିଛି ଭାରତୀୟ ସେନା । ତେବେ ବଡ଼ ଧରଣର ଆତ୍ମଘାତୀ ହମଲାକୁ ରୂପ ଦେବାକୁ ୨୧ ଜଣ ଜୈସେ ଆତଙ୍କୀ ଗତ ଡିସେମ୍ବର ମାସରେ କାଶ୍ମୀରରେ ଅନୁପ୍ରବେଶ କରିଥିବା ଗୁଇନ୍ଦା ସୂଚନା ମିଳିଛି । କାଶ୍ମୀର ଘାଟି ଓ ଘାଟି ବାହାରେ ଫିଦାଇନ୍ ହମଲା କରାଇବାକୁ ଏହି ଆତଙ୍କବାଦୀ ଯୋଜନା କରୁଥିବା ବେଳେ ଏଥିରେ ୩ଜଣ ଆତ୍ମଘାତୀ ଆକ୍ରମଣକାରୀ ରହିଛନ୍ତି । ଅନ୍ୟପଟେ ପୁଲୱାମା ଆକ୍ରମଣରେ ପାକିସ୍ତାନ ସେନା ବ୍ୟବହାର କରୁଥିବା ବିସ୍ଫୋରକ ବ୍ୟବହାର ହୋଇଥିବା ଜଣାପଡ଼ିବା ପରେ ଏଥିରେ ପାକିସ୍ତାନ ସଂପୃକ୍ତି ସ୍ପଷ୍ଟ ହୋଇଛି  । ସେପଟେ ଆତଙ୍କର ଅନ୍ତ ପାଇଁ ସେନା ଅଭିଯାନକୁ ଜୋରଦାର୍ କରିଛି  ।

କ’ଣ ରହିଛି ଜୈସେର ମିଶନ୍ ?

–  ଆତଙ୍କବାଦୀଙ୍କ ଦଳ କାଶ୍ମୀରରେ ପ୍ରବେଶ କରିବା ମାତ୍ରେ ୨ଟି ଦଳରେ ବିଭାଜିତ ହୋଇ ମୁଦାସିର୍ ଖାନ୍ ଓ ଶହୀଦ ବାବାର ନେତୃତ୍ୱରେ ଅଲଗା ହୋଇଥିଲେ  ।

– ୩ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟରୁ ଜଣେ ଅର୍ଥାତ୍ ଆଦିଲ୍ ଅହମ୍ମଦକୁ ଫେବୃଆରୀ ୧୪ ପାଇଁ ପୁଲୱାମାରେ ହମଲା କରାଇବାକୁ ଯୋଜନା କରାଯାଇଥିଲା  ।

– ବାକି ଦୁଇ ଜୈସେ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଜାମ୍ମୁ କାଶ୍ମୀରର ଅନ୍ୟ ସ୍ଥାନରେ ଫିଦାଇନ୍ ହମଲା ପାଇଁ ନିୟୋଜିତ କରାଯାଇଛି  ।

– ଜୈସେ ଆତଙ୍କବାଦୀ ଓ ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରେ ସମସ୍ତ ପ୍ରକାର ଆଲୋଚନା ତ୍ରାଲ୍ ସେକ୍ଟରରେ ନିୟମିତ ସମୟ ବ୍ୟବଧାନରେ ହେଉଥିଲା  ।

– ସହଜରେ ଚିହ୍ନଟ ନହେବାକୁ ଜୈସେ ପକ୍ଷରୁ ୧୬ଟି ପୁରୁଣା ଗାଡ଼ି କିଣାଯାଇଥିଲା ଓ ଏସବୁର ରେଜିଷ୍ଟ୍ରେସନ୍ ନମ୍ବର ୧୯୯୦ରୁ ୧୯୯୫ ମଧ୍ୟରେ ଥିବା ଜଣାପଡ଼ିଛି  । ଏବେ କେବଳ ଅପେକ୍ଷା ପାକିସ୍ତାନଠାରୁ ରକ୍ତର ଜବାବ୍ ରକ୍ତରେ ନେବାକୁ  ।