ପୁଣି ବଢିଲା ଗୁରୁପ୍ରିୟା ସେତୁ ନିର୍ମାଣର ଡେଡଲାଇନ ! ବାଳିମେଳା ଜଳଭଣ୍ଡାରର ଜଳ ନିଷ୍କାସନ ଯୋଗୁଁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ

43

କନକ ବ୍ୟୁରୋ : ଥମୁନି ବାଲିମେଳା ଜଳ ଭଣ୍ଡାରର ଜଳ ନିଷ୍କାସନ । ଜଳ ଭଣ୍ଡାରର ଜଳସ୍ତର ଖସୁଥିବାରୁ ଗୁରୁପ୍ରୀୟା ସେତୁ ନିର୍ମାଣ କାମ ପ୍ରଭାବିତ ହୋଇଛି । ତେଣୁ ମାର୍ଚ ଶେଷ ସୁଧା କାମ ଶେଷ ହବାକୁ ଥିବା ଲକ୍ଷ୍ୟ ଉପରେ ପୁଣି ଯବନିକା ପଡିଛି । ଡିଜାଇନରେ ପରିବର୍ତନ କରାଯାଇ ଏପ୍ରିଲ ୨୦ ସୁଧା କାମ ଶେଷ କରିବାକୁ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛି ପୁର୍ତ ବିଭାଗ । ଜଳ ଭଣ୍ଡାରର ଜଳ ନିଷ୍କାସନ କମୁନଥିବା ବେଳେ ଗୁରୁପ୍ରୀୟା ସେତୁ ନିର୍ମାଣର ଡେଡ ଲାଇନ ବାରମ୍ବାର ଘୁଂଚିବାରୁ ବିଚ୍ଛିନ୍ନାଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

gurupriya setuକମିଛି ସ୍ରୋତ, ହେଲେ ଥମିନି ଜଳ ନିଷ୍କାସନ । ଏବେ ବି ପୁରୁଣା ଟନେଲ ଦେଇ ଆନ୍ଧ୍ରକୁ ଅନବରତ ବହି ଚାଲିଛି ବାଲିମେଳା ଜଳଭଣ୍ଡାରର ପାଣି । ଯାହାର ପ୍ରଭାବ ଗୁରୁପ୍ରୀୟା ସେତୁ ନିର୍ମାଣ ଉପରେ ପଡିଛି । ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଯୋଗୁଁ ପୋଖରୀ ପାଲଟିଛି ଗୁରୁପ୍ରୀୟ ସେତୁ ନିର୍ମାଣ ସ୍ଥଳ । ଚାରି ଆଡେ କେବଳ ବାଲି ଚର । ଏପରି ସ୍ଥିତିରେ ପାଣିରେ ଚାଲି ପାରୁନାହିଁ ଠିକା କମ୍ପାନୀର ପଣ୍ଟୁନ । ଗଭୀର ଜଳ ଭିତରେ ଯାଇପାରୁ ନାହିଁ ଷ୍ଟିଲ ଗାଡାର । ଫଳରେ ସେତୁ ନିର୍ମାଣ କାମ ଏକ ପ୍ରକାର ଆଣ୍ଠେଇ ପଡିଛି । ପରିସ୍ଥିତି ଏପରି ହୋଇଛି ଯେ, ନିର୍ମାଣଧିନ ସେତୁର ଡିଜାଇନରେ ପରିବର୍ତନ କରାଯାଇ ମାଟି ଓ କଂକ୍ରଟି ବେସ ତିଆରି କରି କ୍ରେନ ସାହାଯ୍ୟରେ ବଳକା ତିନୋଟି ଷ୍ଟିଲ ଗାଡାର ଉଠାଇବାକୁ ଯୋଜନା କରାଯାଇଛି । ମାର୍ଚ ଶେଷ ସୁଧା କାମ ଶେଷ ସାରିବା ପାଇଁ କଂଷ୍ଟ୍ରକସନ୍ କମ୍ପାନୀକୁ ଟାର୍ଗେଟ ଦିଆଯାଇ ଥିବା ବେଳେ ଏବେ ସେହି ସମୟ ଅବଧିକୁ ବଢାଇ ଏପ୍ରିଲ ୨୦ କରିଛି ପୁର୍ତବିଭାଗ ।

ମାଛକୁଣ୍ଡ ଜଳ ଭଣ୍ଡାରରୁ ଜଲାପୁଟ ନାଳ ଦେଇ ୨୨୦୦ କ୍ୟୁସେକ ପାଣି ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ପ୍ରବେଶ କରୁଥିଲେ ସୁଦ୍ଧା ବାଲିମେଳା ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉନାହିଁ । କାରଣ ଏବେ ବି ପୁରୁଣା ଟନେଲକୁ ସମ୍ପୂର୍ଣ୍ଣ ବନ୍ଧ କରିବାରେ ବିଫଳ ହୋଇଛି ଚିତ୍ରକୋଣ୍ଡା ଆର୍ଥ ଡ୍ୟାମ ଡିଭିଜନ ଓ ପୋଟେରୁ ଇରିଗେସନ କର୍ତୃପକ୍ଷ । ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ ନହେବା ସହ ଗୁରୁପ୍ରୀୟା ଡେଡଲାଇନ ବାରମ୍ବାର ଘୁଂଚିବା ଘଟଣାକୁ ନେଇ ଜନ ଅସନ୍ତୋଷ ବଢୁଛି ।୯୧୦ ମିଟର ଲମ୍ବର ଗୁରୁପ୍ରୀୟା ସେତୁ ଲାଗି ସମସ୍ତ ୨୩ଟି ପିଲାର କାମ ଶେଷ ହୋଇଛି । ୧୩ ଓ ୧୪ ନମ୍ବର ପିଲାର ମଧ୍ୟରେ ୬୦ ମିଟର ଲମ୍ବ ଷ୍ଟିଲ ଗାଡର କାମ ବାକି ରହିଛି । ବାଲିମେଳା ଜଳଭଣ୍ଡାରର ଜଳ ସ୍ତର ବୃଦ୍ଧିକୁ ଅପେକ୍ଷା ନକରି ପୁତବିଭାଗ ନୂତନ ଡିଜାଇନ ଓ ଡେଡଲାଇନ ମଧ୍ୟରେ କାମ ସାରିବ ନା ପୁଣି ପଦ୍ମ ଘୁଂଚିବ ତାକୁ ହିଁ ଅପେକ୍ଷା ।