ଗୁଜରାଟ ନିର୍ବାଚନୀ କ୍ୟାମ୍ପେନରେ ବଢୁଛି ତାତି ! ମୋଦି କହିଲେ, ଅହମ୍ମଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପାକିସ୍ତାନୀ ସେନା କରିଛି ଚକ୍ରାନ୍ତ ।

27

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ସରଗରମ ହୋଇଛି ଗୁଜରାଟ ନିର୍ବାଚନ କ୍ୟାମ୍ପେନ । ନିର୍ବାଚନୀ ସଭାରେ ମଣିଶଙ୍କର ଆୟାରଙ୍କ ନିଚ୍ଚ ଆଦମୀ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ମୋଦି । ମୋଦି କହିଛନ୍ତି, ଅହମ୍ମଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପାକିସ୍ତାନ ସହ ମିଶି ଚକ୍ରାନ୍ତ କରୁଛି କଂଗ୍ରେସ । ସେପଟେ ବିମୁଦ୍ରାକରଣ ଓ ଜିଏସଟିକୁ ନେଇ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରଗରମ ହୋଇଛି ପ୍ରଚାର । ଗୁଜରାଟ ପାଲନପୁରରେ ମଣିଶଙ୍କର ଆୟାର ଓ କଂଗ୍ରେସ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି, ଗୁଜରାଟରେ ଅହମ୍ମଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପାକିସ୍ତାନ ସେନା ଓ ଗୁଇନ୍ଦା ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ପାକିସ୍ତାନ ହାଇକମିସନରଙ୍କ ସହ ମଣିଶଙ୍କର ଆୟାର କାହିଁକି ଗୁପ୍ତ ବୈଠକ କରିଥିଲେ, ଏ ନେଇ ପ୍ରଶ୍ନ ଉଠାଇଛନ୍ତି ମୋଦି ।

ସେପଟେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆଜି ପୁଣି ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ଡାକୋରର ରଣଛୋଡ ଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାହୁଲ । ଗୋଟିଏ ପଟେ ମଣିଶଙ୍କର ଆୟାରଙ୍କ ନିଚ୍ଚ ଆଦମୀ ପ୍ରସଙ୍ଗକୁ ମୋଦି ନିର୍ବାଚନ ସଭାରେ ଉଠାଉଛନ୍ତି । ଅନ୍ୟପଟେ ବିକାଶ, ବିମୁଦ୍ରାକରଣ ଓ ଜିଏସଟିକୁ ସମାଲୋଚନା କରି ମୋଦିଙ୍କ କାଠଗଡ଼ାକୁ ଟାଣୁଛନ୍ତି ରାହୁଲ ଗାନ୍ଧି ।

ଦ୍ୱିତୀୟ ପର୍ଯ୍ୟାୟରେ ଗୁଜରାଟର ୧୪ ଜିଲ୍ଲାର ୯୩ଟି ଆସନରେ ଭୋଟଗ୍ରହଣ ହେବ । ଏହିସବୁ ଆସନକୁ ହାତେଇବାକୁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦେଶର ଦୁଇ ପ୍ରମୁଖ ଦଳ । ଏହାରୀ ଭିତରେ ଚରମ ସୀମାରେ ପହଁଚିଛି ଆରୋପ ପ୍ରତ୍ୟାରୋପର ରାଜନୀତି ।