ବିଜୟଙ୍କ ବାଣ ପରେ ଧର୍ମେନ୍ଦ୍ରଙ୍କ ଗୁଗଲି ! ମହାନଦୀ ବିବାଦରେ ଟ୍ରିବ୍ୟୁନାଲ ଗଠନ ପାଇଁ ମନାକରିନାହିଁ କେନ୍ଦ୍ର, ଅପପ୍ରଚାର କରୁଛନ୍ତି ରାଜ୍ୟ ସରକାର

144

କନକ ବ୍ୟୁରୋ : ମହାନଦୀ ବିବାଦରେ ନୂଆମୋଡ । ବିଜେପି ବନାମ ବିଜେପି ସ୍ଥିତି । ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ ପରେ ବିଜେଡି-ବିଜେପି କଥା କଟାକଟି ଭିତରେ, ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜୟ ମହାପାତ୍ରଙ୍କ ବୟାନ । ରାଜ୍ୟ ବିଜେପିର ଏହି ବରିଷ୍ଠ ନେତା କେନ୍ଦ୍ର ବିଜେପି ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି । କହିଛନ୍ତି, ଓଡିଶାର ସ୍ୱାର୍ଥକୁ ଅଣଦେଖା କରି ଏକପାଖିଆ ସତ୍ୟପାଠ ଦେଇଛନ୍ତି ମୋଦି ସରକାର । ଯେଉଁଥିପାଇଁ ଜୋବ୍ରା ବ୍ୟାରେଜକୁ ଜଳ ପ୍ରବାହ କମିଗଲାଣି । ସ୍ୱାଭାବିକ ଭାବେ ଏଭଳି ସାଙ୍ଘାତିକ ଅଭିଯୋଗ ବିଜେଡିକୁ ସୁହାଇଥିବାବେଳେ ନିଆଁବାଣ ହୋଇଛି ରାଜ୍ୟ ବିଜେପି । ଅନ୍ୟପଟେ କେନ୍ଦ୍ର ସରକାର ନୂଆ ଢାଞ୍ଚାରେ ଟ୍ରିବ୍ୟୁନାଲ ଗଠନ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

MAHANADI WATERକେନ୍ଦ୍ରରେ ବିଜେପି ସରକାରଙ୍କ ଉପରେ ରାଜ୍ୟ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିଷୋଦଗାର । ଓଡିଶାର ସ୍ୱାର୍ଥ ପ୍ରତି ଅଖି ବୁଜିଦେଇଛି ମୋଦି ସରକାରଙ୍କ ଜଳ ସଂପଦ ମନ୍ତ୍ରାଳୟ । ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ କ୍ୟାବିନେଟ ନୋଟ୍ ପ୍ରସ୍ତୁତ ହୋଇଛି ବୋଲି ସଂସଦରେ କହିଥିବାବେଳେ, ସୁପ୍ରିମକୋର୍ଟରେ ଦେଇଛି ଏକପାଖିଆ ସତ୍ୟପାଠ । ଓଡିଶାକୁ ଉପେକ୍ଷା କରି ଛତିଶଗଡ ସପକ୍ଷରେ ଯୁକ୍ତି ବାଢିଛନ୍ତି ମୋଦି ସରକାର । ଯାହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ସ୍ୱାର୍ଥ ବିରୋଧୀ ।

ବିଜୟ ମହାପାତ୍ରଙ୍କ ଅଭିଯୋଗ :
ମହାନଦୀରେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଛି ।
ଫଳରେ ଯୋବ୍ରା ବ୍ୟାରେଜକୁ ଜଳ ପ୍ରବାହ କମିଛି ।
ପୂର୍ବବର୍ଷ ଏହି ସମୟରେ ୧୦ହଜାର କ୍ୟୁସେକ ପାଣି ଯାଏ ।
ଏବେ ମାତ୍ର ୪ହଜାର କ୍ୟୁସେକ ପାଣି ଯାଉଛି ।

mahanadiମହାନଦୀ ଉପର ମୁଣ୍ଡରେ ଛତିଶଗଡର ଡ୍ୟାମ ନିର୍ମାଣ ଫଳରେ ଯୋବ୍ରା ବ୍ୟାରେଜକୁ ଜଳ ପ୍ରବାହ କମିଯାଇଥିବା ଅଭିଯୋଗ ଆଣିଛନ୍ତି ବିଜୟ ମହାପାତ୍ର । ପୂର୍ବବର୍ଷ ମାନଙ୍କରେ ଏହି ସମୟରେ ୧୦ ହଜାର କ୍ୟୁସେକ ପାଣି ଯାଉଥିବାବେଳେ ଏବେ ମାତ୍ର ୪ହଜାର କ୍ୟୁସେକ ପାଣି ଯାଉଥିବା ସେ ସୂଚନା ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିଜ ଦଳର କେନ୍ଦ୍ର ସରକାରଙ୍କୁ ଏଭଳି ଶାଣିତ ଆକ୍ରମଣ ପରେ ଚିହିଁକି ଉଠିଛି ରାଜ୍ୟ ବିଜେପିି । ତାଙ୍କ ବୟାନକୁ ଅବାନ୍ତର ବୋଲି କହିଥିବାବେଳେ ଦଳ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ବିଜେପି । ଏପରିକି ସେ ଓଡ଼ିଶାର ସ୍ୱାର୍ଥ ବିରୋଧୀ କଥା କହି ଲୋକଙ୍କୁ ବିଭ୍ରାନ୍ତି କରନ୍ତୁ ନାହିଁ ବୋଲି ବିଜେପି କହିଛି । ତେବେ ବିଜୟଙ୍କ ସହ କିନ୍ତୁ ସ୍ୱର ମିଳାଇଛି ବିଜେଡି । ମୋଦି ସରକାର ଓଙ୍ଗ଼ିଶାବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି କହିଛି ବିଜେଡି । ଅନ୍ୟପଟେ ଓଡିଶା ଗସ୍ତରେ ଥିବା ସିପିଆଇ ନେତା ଡି. ରାଜା ବି ମହାନଦୀ ପ୍ରସଙ୍ଗରେ ମୋଦି ସରକାରଙ୍କୁ ରାଜନୈତିକ ଆକ୍ରମଣର ମୌକା ଛାଡିନାହାନ୍ତି ।

ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ନେଇ ରାଜନୀତି ଜୋର ଧରିବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟରେ ମନା କରିନାହାଁନ୍ତି ମୋଦି ସରକାର । ବିଜେଡି ସରକାର ଅପପ୍ରଚାର ଚଳାଇଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ନୂଆ ଢାଂଚାରେ ଟ୍ରିବ୍ୟୁନାଲ ଗଠନ ପାଇଁ ସରକାର ବିଲ୍ ଆଣିଛନ୍ତି ଏବଂ ସେହି ନୂଆ ଢାଂଚାରେ ମହାନଦୀ ଟ୍ରିବୁନାଲ୍ ଗଠନ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ତେବେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ପରେ ବିଜେଡି-ବିଜେପି କଥା କଟାକଟି ଜୋରଦାର ହୋଇଛି । ହେଲେ ମହାନଦୀକୁ ଜଳ ପ୍ରବାହ କମିବା ନେଇ ବିଜୟ ମହାପାତ୍ରଙ୍କ ସୂଚନା ଯିଦ ସତ ହୋଇଥାଏ ତାହେଲେ ଏକ ସଂକଟଜନକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଆଉ ଏହାର ସିଧାସଳଖ ପ୍ରଭାବ ଓଡ଼ିଶାବାସୀଙ୍କ ଜୀବନଜୀବିକା ଉପରେ ପଡିବ ଏଥିରେ କୌଣସି ଆଶଙ୍କା ନାହିଁ ।