ଗୁଜରାଟରେ ରାଜ୍ୟସଭା ନାଟକ ! ମୋଦି-ସୋନିଆଙ୍କ ଛାୟା ଯୁଦ୍ଧ,କଂଗ୍ରେସର କ୍ରସ ଭୋଟିଂ ଆଶଙ୍କା

54

କନକ ବ୍ୟୁରୋ: କଂଗ୍ରେସର ଚାଣକ୍ୟ ଅହମ୍ମଦ ପଟେଲଙ୍କ ପାଇଁ ଅଗ୍ନିପରୀକ୍ଷା । ଗୁଜରାଟର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଛି । ୩ଟି ଆସନ ପାଇଁ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଭୋଟିଂ ଜାରି ରହିଛି । ବିଜେପିରୁ ମଇଦାନରେ ଅଛନ୍ତି ରାଷ୍ଟ୍ରିୟ ସଭାପତି ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ବଳବନ୍ତ ସିଂ ।

ସେହିପରି କଂଗ୍ରେସରୁ ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶ ଅହମ୍ମଦ ପଟେଲ ପ୍ରାର୍ଥୀ ହୋଇଛନ୍ତି । ତେବେ ଅମିତ ଶାହା ଓ ସ୍ମୃତି ଇରାନୀଙ୍କର ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ହେଲେ ବିଜେପିର ତୃତୀୟ ପ୍ରାର୍ଥୀଙ୍କ ପାଇଁ ବିଜେପି ପାଖରେ ରହିଛି ମାତ୍ର ୩୧ଟି ଭୋଟ୍ । ଅହମ୍ମଦ ପଟେଲଙ୍କୁ ହରାଇବା ପାଇଁ ବିଜେପି ସମସ୍ତ ପ୍ରକାର ରଣନୀତି କରିଛି ।

ତେବେ ଗୁଜରାଟ ରାଜ୍ୟସଭା ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେଣୁ ଏହାକୁ କ୍ଷମତାର ଦୁଇ କେନ୍ଦ୍ରସ୍ଥଳଙ୍କ ଛାୟାଯୁଦ୍ଧ ବୋଲି କୁହାଯାଉଛି । କାରଣ, ଅହମ୍ମଦ ପଟେଲ ହେଉଛନ୍ତି ଦେଶର ସବୁଠାରୁ ପୁରୁଣା ରାଜନୈତିକଦଳ କଂଗ୍ରେସର ବଡ ମ୍ୟାନେଜର । ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ମନ୍ତ୍ରୀପଦ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ଅହମ୍ମଦ ପଟେଲ ।

ଅହମ୍ମଦ ପଟେଲଙ୍କୁ ସୋନିଆଙ୍କ ଆଖି ଓ କାନ କୁହାଯାଏ । ଅହମ୍ମଦ ପଟେଲ ଏବେ ଚର୍ଚ୍ଚାରେ ଏଥିପାଇଁ ଯେ ତାଙ୍କର ରାଜ୍ୟସଭା ଆସନ ବିପଦରେ ଅଛନ୍ତି । ରାଜ୍ୟର ୩ ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେଉଛି । ମୈଦାନରେ ଅଛନ୍ତି ବିଜେପି ଜାତୀୟ ସଭାପତି ଅମିତ ଶାହ । ସେପଟେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଚାହିଁଛନ୍ତି ଅହମ୍ମଦ ପଟେଲ ପୁଣି ରାଜ୍ୟସଭାକୁ ଆସନ୍ତୁ । ତେଣୁ ଏହା ଉଭୟ ମୋଦି ଓ ସୋନିଆଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।

ସେହିପରି ଗୁଜରାଟ ରାଜ୍ୟସଭାର ୩ଟି ଆସନ ପାଇଁ ଚାଲିଥିବା ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ୩ରୁ ୪ଜଣ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିବା ସନ୍ଦେହ କରାଯାଉଛି । କଂଗ୍ରେସ ବିଧାୟକ ଧର୍ମେନ୍ଦ୍ର ଜାଡେଜା ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ମାନିଛନ୍ତି । ଧର୍ମେନ୍ଦ୍ରଙ୍କ ସମେତ ୩ରୁ ୪ଜଣ ବିଧାୟକ ବଲୱନ୍ତ ସିଂହ ରାଜପୁତଙ୍କୁ ଭୋଟ୍ ଦେଇଥିବା ଆଶଙ୍କା କରାଯାଉଛି ।

ରାଜ୍ୟସଭାର ୩ଟି ଆସନ ପାଇଁ ୪ଜଣ ପ୍ରାର୍ଥୀ ଅଛନ୍ତି । ଦୁଇଟି ଆସନରେ ଅମିତ ଶାହ ଓ ସ୍ମୃତି ଇରାନୀ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ଥିବାବେଳେ ତୃତୀୟ ଆସନ ପାଇଁ ଜୋରଦାର ହୋଇଛି ଲଢେଇ । ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ ଅହମଦ ପଟେଲ ଓ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ବଲୱନ୍ତ ସିଂହଙ୍କ ମଧ୍ୟରେ ଏହି ଆସନ ପାଇଁ ଲଢେଇ ହେଉଛି । କିଛି ଦିନ ପୂର୍ବରୁ ୬ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ପରେ ଏନସିପି ମଧ୍ୟ କଂଗ୍ରେସକୁ ଝଟକା ଦେଇଛି । ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ଏନସିପି ।