ଆଜି ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ! ଇଣ୍ଡିଆ ଟୁଡେ-ଆକ୍ସିସର ସର୍ଭେ ବିଜେପିକୁ ମିଳିପାରେ ବହୁମତ, ହିମାଚଳରେ ହାରିବ କଂଗ୍ରେସ

26

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ଆଜି ଦିନ ୧୨ଟାରେ ଏଥିପାଇଁ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି । ମିଳିଥିବା ଖବର ଅନୁସାରେ, ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହୋଇପାରେ । ଭୋଟଗଣତି ୧୮ ଡିସେମ୍ବରରେ ହୋଇପାରେ । ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣାବେଳେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରାଯାଇନଥିଲା । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଗତକାଲି ଗୁଜରାଟ ଗୃବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ କମିଶନଙ୍କ ସପକ୍ଷରେ କହିଥିଲେ । ସେ କହିଥିଲେ , ମୋ ଗୁଜରାଟ ଗସ୍ତକୁ ବିରୋଧୀ ସହିପାରୁନାହାନ୍ତି । ଆଉ ମୋତେ ଆକ୍ରମଣ କରିନପାରି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରୁଛନ୍ତି । ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଜାନୁଆରୀ ୨୨ରେ ସରୁଛି ।

ସେପଟେ ଗୁଜରାଟରୁ ଆସିଛି ଚମକପ୍ରଦ ଖବର । ୩-୩ ଥର କ୍ଷମତାକୁ ଆସିବା ପରେ ବି ଗୁଜରାଟରେ ବିଜେପିର ପ୍ରଭାବ ଜାରି ରହିଛି । ପଟିଦାର, ଦଳିଓ ଓ ଓବିସି ଆନ୍ଦୋଳନ ଓ ଜିଏସଟିକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସତ୍ୱେ ବିଜେପି ଅପରାଜେୟ ରହିଛି । ଇଣ୍ଡିଆ ଟୁଡେ-ଆକ୍ସିସ ଓପନିଅନ ପୋଲରେ ଏହି ତଥ୍ୟ ରହିଛି । ଓପନିଅନ ପୋଲ ଅନୁସାରେ-ଗୁଜରାଟ ବିଜେପିର ଗଡ ଅତୁଟ ରହିଛି । ସର୍ଭେ ଅନୁସାରେ- ଗୁଜରାଟରେ ମୋଟ ୧୮୨ ବିଧାନସଭା ଆସନରୁ ବିଜେପିକୁ ୧୧୫ରୁ ୧୨୫ ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି କଂଗ୍ରେସକୁ ୫୭ରୁ ୬୫ ଆସନ ମିଳିପାରେ । ସେହିଭଳି ପ୍ରତିଶତକୁ ଦେଖିଲେ ବିଜେପିକୁ ୪୮ ପ୍ରତିଶତ ଓ କଂଗ୍ରେସକୁ ୩୮ ପ୍ରତିଶତ ଭୋଟ ମିଳିବା ସମ୍ଭାବନା ରହିଛି । ଜିଏସଟି ନେଇ ଗୁଜରାଟର ଲୋକ ବି ଖୁସ ନଥିବା ଜଣାପଡିଛି । ପଟିଦାର ଆନ୍ଦୋଳନ ସତ୍ୱେ କଂଗ୍ରେସକୁ ଫାଇଦା ମିଳୁନଥିବା ଦେଖାଯାଇଛି ।

ସେହିଭଳି ହିମାଚଳରେ ବି କଂଗ୍ରେସ ହାରିବ ବୋଲି ଇଣ୍ଡିଆ ଟୁଡେ ଆକ୍ସିସ ବ୍ୟାଙ୍କ ସର୍ଭେ କହିଛି । ସର୍ଭେ ଅନୁସାରେ, ମୋଟ ଆସନ ୬୮ । ଯେଉଁଥିରେ ବିଜେପି ୪୩-୪୭, କଂଗ୍ରେସ-୨୧-୨୫ ଏବଂ ଅନ୍ୟ- ୦-୨ ଆସନ ରହିଛି ।