ରାଜ୍ୟପାଳଙ୍କ ହାତରେ ଜମ୍ମୁ-କାଶ୍ମୀରର ମଙ୍ଗ ! ଜାଣନ୍ତୁ କାଶ୍ମୀରରେ କେତେ ଥର ଲାଗୁ ହୋଇଛି ରାଜ୍ୟପାଳ ଶାସନ

30

କନକ ବ୍ୟୁରୋ : ବିଜେପି-ପିଡିପି ମେଂଟ୍ ସରକାର ଭାଙ୍ଗିବା ପରେ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫଳରେ ରାଜ୍ୟର ଶାସନ ଭାର ଆସିଯାଇଛି ରାଜ୍ୟପାଳ ନରେନ୍ଦ୍ର ନାଥ ବୋରାଙ୍କ କାନ୍ଧକୁ । ପ୍ରଶାସନିକ ପରିଚାଳନା ପାଇଁ ଅମଲାତାନ୍ତ୍ରିକ ନିଯୁକ୍ତି ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଆଉ ଏସବୁ ଭିତରେ ଜୋରଧରିଛି ଆରୋପ-ପ୍ରତ୍ୟୋରୋପ ରାଜନୀତି ।

ବିଜେପି, ପିଡିପିର ହାତ ଛାଡ଼ିବା ଏବଂ ରାଷ୍ଟ୍ରପତି, ରାଜ୍ୟପାଳ ଶାସନର ପ୍ରସ୍ତାବ ଉପରେ ମୋହର ମାରିବା ପରେ ଜାମ୍ମୁ-କାଶ୍ମୀରର ଶାସନ ଦାୟିତ୍ୱ ଏବେ ନରେନ୍ଦ୍ର ନାଥ ବୋରାଙ୍କ ହାତରେ । ଶାସନ ବ୍ୟବସ୍ଥାକୁ ପୁଣି ଥରେ କ୍ରିୟାଶୀଳ କରିବାର ଗୁରୁଦାୟିତ୍ୱ ରାଜ୍ୟପାଳ ନରେନ୍ଦ୍ର ନାଥ ବୋରାଙ୍କ କାନ୍ଧରେ । ମେଂଟ ସରକାର ଭାଙ୍ଗିବା ପରେ ଯେଉଁ ସାମ୍ବିଧାନିକ ଅସ୍ଥିରତା ସୃଷ୍ଟି ହୋଇଛି, ତାକୁ ଅନ୍ତଃତ ୬ମାସ ଯାଏଁ, ରାଜ୍ୟପାଳ ଶାସନ ଜରିଆରେ ସ୍ଥିରତା ଆଣିବାକୁ ପ୍ର୍ରୟାସ ହେବ । ବଡ କଥା ହେଉଛି-ଜୁନ୍ ୨୭ ତାରିଖରେ ରାଜ୍ୟପାଳ ଏନଏନ୍ ବୋରାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ପୁଣି ଏକ ଅଡୁଆ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ତେବେ ବିଜେପି ସୂତ୍ରରୁ ମିିଳିଥିବା ଖବର ଅନୁସାରେ ରାଜ୍ୟପାଳଙ୍କ କାର୍ଯ୍ୟକାଳକୁ ଆହୁରି ୩ରୁ ୬ ମାସ ଯାଏଁ ବୃଦ୍ଧି କରାଯାଇପାରେ ।

vohra

ସୂଚନା ଅନୁସାରେ, ଅନ୍ତତଃ ଅମରନାଥ ଯାତ୍ରା ଯାଏଁ କାର୍ଯ୍ୟକାଳ ବଢ଼ାଇବାକୁ କେନ୍ଦ୍ର ନେତୃତ୍ୱ ବିଚାର କରୁଥିବା ବେଳେ, ବ୍ୟବସ୍ଥାର ପରିଚାଳନା ପାଇଁ ଛତିଶଗଡ଼ ସରକାରର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିଯୁକ୍ତି ଦିଆଯାଇଛି । ଏପଟେ ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ବିଜେପିକୁ କାଠଗଡ଼ାରେ ଠିଆ କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି- ବିଜେଡି-ପିଡିପିର ସୁବିଧାବାଦୀ ମେଂଟ ଯୋଗୁଁ ଜାମ୍ମୁ-କାଶ୍ମୀରରେ ଯବାନଙ୍କ ସମେତ ନିରୀହ ଜନତା ପ୍ରାଣ ହରାଇଛନ୍ତି । ୟୁପିଏ ସରକାର ସମୟରେ ହୋଇଥିବା ସବୁ ପ୍ରୟାସ ବୃଥା ହୋଇଯାଇଛି । ରାଜ୍ୟପାଳ ଶାସନରେ ବି ସେଇଆ ହେବ ।

କୌଣସି ରାଜ୍ୟରେ ସମ୍ବିଧାନିକ ଅସ୍ଥିରତା ସୃଷ୍ଟିହେଲେ ସମ୍ବିଧାନର ଧାରା ୩୫୬ରେ ଯେଉଁ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ରହିଛି, ଠିକ୍ ସେହିଭଳି ଜାମ୍ମୁ-କାଶ୍ମୀର ସମ୍ବିଧାନର ସେକ୍ସନ ୫୨ ଅନୁସାରେ ସେଠି ରାଜ୍ୟପାଳ ଶାସନର ବ୍ୟବସ୍ଥା ରହିଛି । ଏହା ଅନ୍ତତଃ ୬ ମାସ ଯାଏଁ ଚାଲିବ । ଏପଟେ ନେସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା, ବିଧାନସଭାକୁ ଭଙ୍ଗ କରି ପୁଣି ଥରେ ନିର୍ବାଚନ କରିବା ସପକ୍ଷରେ ମତ ଦେଇଛନ୍ତି । ବଡ କଥା ହେଉଛି- ଯେଉଁ ଆତଙ୍କବାଦ ଏବଂ ଅରାଜକତା ପ୍ରସଙ୍ଗକୁ ନେଇ ବିଜେପି ମେଂଟରୁ ଓହରିଗଲା, ଏବେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ପୂର୍ବଭଳି ଜାମ୍ମୁକାଶ୍ମୀରେ ସେନାର କାର୍ଯ୍ୟାନୁଷ୍ଠାନ କରିବ ବୋଲି କହିଛନ୍ତି ସେନାମୁଖ୍ୟ ।

ଜାମ୍ମୁ-କାଶ୍ମୀର ହେଉଛି ଦେଶର ସେହି ରାଜ୍ୟ, ଯେଉଁଠି ସର୍ବାଧିକ ଥର ଏହି ରାଜ୍ୟପାଳ ଶାସନ ଲାଗୁ ହୋଇଛି । ଇତି ମଧ୍ୟରେ ୮ ଥର ଏହି ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି । ତେଣୁ ରାଜ୍ୟପାଳ ଶାସନ ସହ ଅଭ୍ୟସ୍ତ ଥିବା ଜାମ୍ମୁ-କାଶ୍ମୀର ବାସିନ୍ଦା କେବେ ସ୍ୱାଭାବିକ୍ ସ୍ଥିତିକୁ ଫେରୁଛନ୍ତି ତାହା ଦେଖିବାର କଥା ।