କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ ! ପେଟ୍ରୋଲ ପମ୍ପରେ ମିଳିବ ଶସ୍ତା ଔଷଧ ! ଏଲଇଡି ବଲବ ବିକ୍ରି କରିବା ନେଇ ଚୁକ୍ତି ସ୍ୱାକ୍ଷରିତ

55

କନକ ବ୍ୟୁରୋ: ଏଣିକି ପେଟ୍ରୋଲ ପମ୍ପରେ ମିଳିବ ମେଡିସିନ । ଲୋକଙ୍କୁ ଶସ୍ତାରେ ଅତି ଦରକାରୀ ମେଡିସିନ ଯୋଗାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଉଥିବା ଲୋକଙ୍କୁ କମ୍ ଦାମରେ ମିଳିପାରିବ ଦରକାରୀ ଔଷଧ ।

ଖୁବଶୀଘ୍ର ଏହି ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର । ବୁଧବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ଜନଔଷଧି କେନ୍ଦ୍ର ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ନେଇ ପଦକ୍ଷେପ ନିଆଯାଉଛି । କେବଳ ଏତିକି ନୁହେଁ, ଖୁବଶୀଘ୍ର ତୈଳ କମ୍ପାନୀମାନେ ପେଟ୍ରୋଲ ପମ୍ପରେ ଅଣତୈଳ କାରବାର ମଧ୍ୟ ଆରମ୍ଭ କରିବେ । ପେଟ୍ରୋଲ ପମ୍ପରେ ଏଲଇଡି ବଲ୍ବ ବିକ୍ରି କରିବା ନେଇ ନିକଟ ଅତୀତରେ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି ।

ତେବେ ସରକାରଙ୍କ ଏହି ପଦକ୍ଷେପକୁ ନେଇ ମଧ୍ୟ ବିଚାର ବିମର୍ଷ ଆରମ୍ଭ ହୋଇଛି । ସରକାରୀ ଜନଔଷଧି କେନ୍ଦ୍ରରେ ଯୋଗ୍ୟ ଫାର୍ମାଶିଷ୍ଟଙ୍କୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ । ଏତେ ସଂଖ୍ୟକ ଫାର୍ମାଶିଷ୍ଟଙ୍କୁ କେଉଁ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯିବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ସେହିଭଳି କେଉଁ ପ୍ରକାରର ଔଷଧ ମିଳିବ ସେନେଇ ମଧ୍ୟ ଦ୍ୱନ୍ଦ ସୃଷ୍ଟି ହୋଇଛି । ତେବେ ସରକାର ଏନେଇ ବିଚାର କରୁଛନ୍ତି ଓ ଖୁବଶୀଘ୍ର ଏନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।