ସତରେ କ’ଣ ଅଣସର ବେଳେ ଠାକୁରଙ୍କୁ ଜର ହୁଏ?

ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ହେଲେ ମଧ୍ୟ, ସେ ମାନବୀୟ ଲୀଳା କରିଥାଆନ୍ତି ।

337

ସତରେ କ’ଣ ଅଣସର ବେଳେ ଠାକୁରଙ୍କୁ ଜର ହୁଏ? ଏ ପ୍ରଶ୍ନ ବେଳେବେଳେ କେହି କେହି ପଚାରନ୍ତି । କିନ୍ତୁ ଏହାର ଗୋଟିଏ ସ୍ପଷ୍ଟ, ଶାସ୍ତ୍ର-ଆଧାରିତ ଉତ୍ତର “ସ୍କନ୍ଦ ପୁରାଣ’ରେ ଅଛି । ମହର୍ଷି ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣର “ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ ଆରମ୍ଭରେ ଏହା ରହିଛି । ମୁନିଗଣଙ୍କ ସହିତ ମହର୍ଷି ଜୈମିନୀଙ୍କ କଥୋପକଥନ ମାଧ୍ୟମରେ କୁହାଯାଇଛି- ଶ୍ରୀପୁରୁଷୋତ୍ତମ ନାମକ ସୁମହତ୍ ଓ ପରମ ପବିତ୍ର କ୍ଷେତ୍ରରେ ମାନବ-ଲୀଳାର ପରିପ୍ରକାଶପାଇଁ ନାରାୟଣ ଦାରୁମୟ କଳେବର ଧରି ବିରାଜମାନ ହୋଇଛନ୍ତି ।

ଏହା ସୂଚାଏ ଯେ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ହେଲେ ମଧ୍ୟ, ସେ ମାନବୀୟ ଲୀଳା କରିଥାଆନ୍ତି । ଏ ସଂପର୍କରେ ଆଉ ଗୋଟିଏ ଲୋକପ୍ରିୟ ଉକ୍ତି ମଧ୍ୟ ଅଛି- “ଯଥା ଦେହେ ତଥା ଦେବେ’ । ଅର୍ଥାତ୍, ଆମେ ଯେପରି ଆମ ଦେବତା ବି ସେପରି । ଏଣୁ ଗ୍ରୀଷ୍ମକାଳରେ ଆମକୁ ଗରମ ହେବା ପରି ତାଙ୍କୁ ବି ଗରମ ହୁଏ ଏବଂ ଶୀତକାଳରେ ଶୀତ ଲାଗେ । ଫଗୁଣରେ ବି ସେ ଆମ ପରି ଫଗୁ ଖେଳନ୍ତି । ଏହିପରି ଭାବରେ, ବର୍ଷର ବିଭିନ୍ନ ସମୟରେ ତାଙ୍କର ଭିନ୍ନ ଭିନ୍ନ ଯାତ୍ରା ହୋଇଥାଏ । ଏସବୁ ତାଙ୍କର ମାନବୀୟ ଲୀଳା ।

ଶ୍ରୀଜଗନ୍ନାଥଙ୍କର ଯାତ୍ରାଗୁଡ଼ିକ ମଧ୍ୟରୁ “ବାରମାସର ତେର ଯାତ୍ରା’ ଅଧିକ ପ୍ରସିଦ୍ଧ । ଏହି “ତେରଯାତ୍ରା’ ଭିତରୁ ଗୋଟିଏ ହେଉଛି ଚନ୍ଦନ ଯାତ୍ରା । ଦୀର୍ଘ ୪୨ ଦିନ ଧରି ଏହି ଯାତ୍ରା ହୋଇଥାଏ । ଏହାର ପ୍ରଥମ ୨୧ ଦିନ ମନ୍ଦିର ବାହାରେ ଓ ବାକି ୨୧ ଦିନ ମନ୍ଦିର ଭିତରେ ଅନୁଷ୍ଠିତ ହୁଏ । ଏହା “ବାହାର ଚନ୍ଦନ’ ଓ “ଭିତର ଚନ୍ଦନ’ ଭାବରେ ପ୍ରସିଦ୍ଧ ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ କେବଳ ଦୁଇଟି ଯାତ୍ରାରେ ଶ୍ରୀଜଗନ୍ନାଥ “ସ୍ୱୟଂ’ ବା ନିଜେ ମନ୍ଦିର ଭିତରୁ ବାହାରକୁ ଆସିଥାଆନ୍ତି । ସେଥିରୁ ଗୋଟିଏ “ସ୍ନାନଯାତ୍ରା’ ଓ ଅନ୍ୟଟି “ଶ୍ରୀଗୁଣ୍ଡିଚା ଯାତ୍ରା’ । ଏଣୁ ଏହି ଦୁଇ ଯାତ୍ରାକୁ ଶ୍ରୀଜଗନ୍ନାଥଙ୍କର “ସ୍ୱୟଂଲୀଳା’ ବୋଲି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଛନ୍ତି । କିନ୍ତୁ ଅନ୍ୟ ସବୁ ଯାତ୍ରାରେ ତାଙ୍କ ପକ୍ଷରୁ ତାଙ୍କର ବିଜେ ପ୍ରତିମା “ମଦନମୋହନ’ ପର୍ବ ଓ ଉତ୍ସବ ଆଦିରେ ଭାଗ ନେଇଥାଆନ୍ତି ।

ଏଇଥିପାଇଁ, ପ୍ରଥମ ୨୧ ଦିନର “ବାହାର ଚନ୍ଦନ’ରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ମଦନମୋହନ “ଶ୍ରୀଦେବୀ’ ଓ “ଭୂଦେବୀ’ଙ୍କ ସହିତ ନରେନ୍ଦ୍ର ପୁଷ୍କରିଣୀକୁ ଜଳକ୍ରୀଡ଼ା ନିମନ୍ତେ ଯାଆନ୍ତି । ଏହା ଏକ ପାରିବାରିକ ଲୀଳା । କିନ୍ତୁ ବାକି ୨୧ ଦିନର “ଭିତର ଚନ୍ଦନ’ ନୀତିରେ “ଜଳକ୍ରୀଡ଼ା ଏକାଦଶୀ’ (ଜ୍ୟେଷ୍ଠ କୃଷ୍ଣ ଏକାଦଶୀ) ବିଶେଷ ତାତ୍ପର‌୍ୟ୍ୟପୂର୍ଣ୍ଣ । ଏହିଦିନ ଗୋଟିଏ ବିଶେଷ ଦାମ୍ପତ୍ୟ ଲୀଳା ଅନୁଷ୍ଠିତ ହୋଇଥାଏ । ସେଦିନ ମଦନମୋହନ ଓ ଶ୍ରୀଦେବୀ ଏକାଠି ଗୋଟିଏ ଜଳକୁଣ୍ଡରେ ବିଜେ ହୁଅନ୍ତି । ସେହି ଜଳକୁଣ୍ଡର ଜଳରେ ଚନ୍ଦନ, କର୍ପୂର ଓ ଅଗୁରୁ ଆଦି ମିଶିଥାଏ । ମଲ୍ଲୀ, ଜୁଇ ଆଦି ସୁବାସିତ ଧଳା ଫୁଲ ମଧ୍ୟ କୁଣ୍ଡରେ ପଡ଼ିଥାଏ । ଚନ୍ଦନ ଜଳର ପିଚକାରୀ ଖେଳହୁଏ ଏବଂ ପଣାଭୋଗ ଓ ଶୀତଳ ମଣୋହି ହୁଏ । ପୁଣି ଏହି ଜଳକ୍ରୀଡ଼ାରୁ ବାହୁଡ଼ିବା ପରେ, ଶ୍ରୀଦେବୀ ମଦନମୋହନଙ୍କର ଶ୍ରୀଅଙ୍ଗ ଲାଗି ହୁଅନ୍ତି ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ବୈଶାଖ ଶୁକ୍ଳ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର‌୍ୟ୍ୟନ୍ତ ଶ୍ରୀଜଗନ୍ନାଥ ସପରିବାର ଜଳକ୍ରୀଡ଼ା କରିଥାଆନ୍ତି । ଏହାର ପରଦିନ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ । ଏହି ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ଶ୍ରୀଜଗନ୍ନାଥ ସ୍ୱୟଂ ସ୍ନାନବେଦୀକୁ ଆସନ୍ତି ଏବଂ ତାଙ୍କର ପ୍ରତ୍ୟକ୍ଷ ସ୍ନାନ କରାଯାଏ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ମଧ୍ୟ ଏହି ମଞ୍ଚ (ସ୍ନାନବେଦୀ)ରେ ସ୍ନାନ ନୀତି ହୋଇଥାଏ ।ଗ୍ରୀଷ୍ମକାଳର ଏହି ଦୀର୍ଘ ୪୨ ଦିନର ଜଳକ୍ରୀଡ଼ା ଓ ସ୍ନାନ ପରେ ଠାକୁରମାନେ ଜରରେ ପଡ଼ିଥାଆନ୍ତି । ଏହା ଗରମ ଓ ଥଣ୍ଡା ଜନିତ ଶ୍ଳେଷ୍ମା ବା ସର୍ଦ୍ଦିଜ୍ୱର । ଏପରି ଜର ଆମେ ମଧ୍ୟ ଗ୍ରୀଷ୍ମକାଳରେ ପ୍ରାୟ ଭୋଗିଥାଉ ।

“ସ୍କନ୍ଦପୁରାଣ’ ଅନୁସାରେ ଏହା ଦାରୁବ୍ରହ୍ମଙ୍କର ମାନବୀୟ ଲୀଳା । ଏହି “ମାନୁଷଲୀଳା’ପାଇଁ, ସେ ପୁରୁଷୋତ୍ତମ କ୍ଷେତ୍ରରେ “ଦାରୁବତନୁ’ ବା ଦାରୁର କଳେବର ଧାରଣ କରିଛନ୍ତି । କିନ୍ତୁ ଅଣସରର ଗୁପ୍ତନୀତି ସହିତ ତାଙ୍କର ଏହି ମାନବୀୟ ଲୀଳାର ଗୁରୁତ୍ୱପୂର୍ଣ୍ଣ ସଂପର୍କ ରହିଛି ।

Comments are closed.