ଅଫେରା ଦୁନିଆରେ ଅମର ଆତ୍ମା: ଜନ୍ମମାଟିରେ ସମ୍ପନ୍ନ ହେଲା ସହିଦ୍ ଯବାନଙ୍କ ଶେଷକୃତ୍ୟ, କାନ୍ଦି କାନ୍ଦି ବିଦାୟ ଦେଲେ ଆତ୍ମୀୟ ଲୋକ ।

ଅଫେରା ରାଇଜରୁ ଆଉ ଫେରିବନି ପୁଅ, ବାହୁନି ବାହୁନି କାନ୍ଦି ପୁଅର ଶେଷ କୃତ୍ୟ ସମ୍ପନ କଲେ ସହିଦ ଯବାନ ଅଜିତ୍ ସାହୁଙ୍କ ପରିବାର ।

382

କନକ ବ୍ୟୁରୋ: ଅଫେରା ରାଇଜରୁ ଆଉ ଫେରିବନି ପୁଅ, ବାହୁନି ବାହୁନି କାନ୍ଦି ପୁଅର ଶେଷ କୃତ୍ୟ ସମ୍ପନ କଲେ ସହିଦ ଯବାନ ଅଜିତ୍ ସାହୁଙ୍କ ପରିବାର । ପଞ୍ଚଭୂତରେ ଲୀନ ହୋଇଗଲା ସହିଦ ଯବାନ ଅଜିତ୍ ସାହୁଙ୍କ ଅମର ଆତ୍ମା । ଜନ୍ମମାଟି ବଡ଼ ସୁଆଁଳରେ ସହିଦଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ ଆତ୍ମୀୟ ଲୋକଙ୍କ ସହ ଗ୍ରାମବାସୀ ।

ଗତ ମଙ୍ଗଳବାର ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ଜମ୍ମୁକଶ୍ମୀରର ପୁଲୱାମାରେ ସହିଦ୍ ହୋଇଥିବା ଓଡ଼ିଆ ବୀରପୁତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଇଛି ଓଡ଼ିଶା । ଢେଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ । ସହିଦ ପୁଅର ପାର୍ଥିବ ଶରୀର ସକାଳୁ ସକାଳୁ ଗାଁରେ ପହଁଚିବା ପରେ ଅଜିତ୍ଙ୍କ ଶେଷ ଦର୍ଶନ ପାଇଁ ସମଗ୍ର ଅଂଚଳ ଲୋକାରଣ୍ୟ ହୋଇଡ଼ିଥିଲା । ରାସ୍ତାରେ ହଜାର ହଜାର ଲୋକ ଅଜିତଙ୍କ ପାର୍ଥିବ ଶରୀରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ସହ ଗାଁ ଶ୍ମସାନରେ ଶେଷକୃତ୍ୟ ସମ୍ପନ ହୋଇଛି ।

ସବୁଠାରୁ ଦୁଃଖଦ ବିଷୟ ହେଲା କି, ପରିବାର ୭ ଜଣ ସଦସ୍ୟଙ୍କ ପେଟ ପୋଷିବା ପାଇଁ ଏକମାତ୍ର ସାହାରାଥିବା ପୁଅ ଆଜି ଭାରତ ମାତା ପାଇଁ ଛାତିରେ ଗୁଳି ଖାଇଛି । ଆଉ ସବୁଦିନ ପାଇଁ ଆରପାରିକୁ ଚାଲିଯାଇ ଦେଶ ଓ ରାଜ୍ୟ ପାଇଁ ବଳିଦାନର ଅଧ୍ୟାୟ ଲେଖିଯାଇଛି । ଆତ୍ମୀୟ ସ୍ୱଜନ, ଅଂଚଳବାସୀଙ୍କ ସମେତ ଅଜିତଙ୍କ ସହକର୍ମୀ ଯବାନମାନେ ଶେଷ ଦର୍ଶନ କରିଛନ୍ତି । ମାଆ କୁମୁଦୁନିଙ୍କ ଆଖିରୁ ଲୁହ ଶୁଖୁନି, ବାରମ୍ବାର ମୁର୍ଚ୍ଚା ଯାଉଛନ୍ତି । ସେହିଭଳି ବାପା ସନ୍ତୋଷ ହତବାକ ହୋଇପଡିଛନ୍ତି । ବୀର ପୁଅକୁ ହରାଇ କୋହଭରା କଣ୍ଠରେ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ଶେଷକୃତ୍ୟବେଳେ କାନ୍ଦବୋବାଳିରେ ଫାଡି ପଡ଼ିଛି ଜନ୍ମମାଟି ।