ଶୁଣିଲେନି ପ୍ରଧାନମନ୍ତ୍ରୀ, ଚାଲିଗଲା ଜୀବନ । ଗଙ୍ଗା ନଦୀ ପାଇଁ ୧୧୧ ଧରି ଆମରଣ ଅନଶନ କରୁଥିବା ସନ୍ନ୍ୟାସୀ ଜ୍ଞାନ ସ୍ୱରୂପ ସାନନ୍ଦଙ୍କ ପରଲୋକ

74

ଗଙ୍ଗା ମାତା ପାଇଁ ଜୀବନ ହାରିଦେଲେ ସନ୍ନ୍ୟାସୀ ଜ୍ଞାନ ସ୍ୱରୂପ ସାନନ୍ଦ ତଥା ପ୍ରଫେସର ଜିଡି ଅଗ୍ରୱାଲ । ଦେଶର ପବିତ୍ର ଗଙ୍ଗା ନଦୀର ସମସ୍ୟାକୁ ନେଇ ଆମରଣ ଅନଶନରେ ବସିଥିବା ପରିବେଶବିତ୍ ଜିଡି ଅଗ୍ରୱାଲଙ୍କ ନିଧନ ହୋଇଯାଇଛି । ହରିଦ୍ୱାରରୁ ଦିଲ୍ଲୀ ଅଣାଯିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଉ ଏହି ଖବର ସାମ୍ନାକୁ ଆସିବା ପରେ ଦେଶରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁଯାୟୀ, ପେଶାରେ ଆଇଆଇଟି ପ୍ରଫେସର ଥିବା ଜିଡି ଅଗ୍ରୱାଲ ଗଙ୍ଗା ନଦୀରେ ହେଉଥିବା ବେଆଇନ ଖନନ, ବନ୍ଧ ନିର୍ମାଣ ଏବଂ ଏହାକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଆମରଣ ଅନଶନରେ ବସିଥିଲେ । ସ୍ୱାମୀ ସାନନ୍ଦ ପୂର୍ବରୁ ମଧ୍ୟ ଗଙ୍ଗା ନଦୀ ସହ ଜଡିତ ବିଭିନ୍ନ ସମସ୍ୟା ସର୍ମ୍ପକରେ ସରକାରଙ୍କୁ ଅବଗତ କରିଥିଲେ । ଏପରିକି ଚଳିତ ବର୍ଷ ଫେବ୍ରଆରୀ ମାସରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଗଙ୍ଗା ନଦୀ ପାଇଁ ସ୍ୱତନ୍ତ୍ର ଆଇନ କାନୁନ କରିବାକୁ ଦାବି କରି ଆସୁଥିଲେ । କିନ୍ତୁ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ସରକାର ତାଙ୍କ କଥା ପ୍ରତି କର୍ଣ୍ଣପାତ ନ କରିବାରୁ ୮୬ ବର୍ଷୀୟ ସ୍ୱାମୀ ସାନନ୍ଦ ୨୨ ଜୁନରୁ ଆମରଣ ଅନଶନରେ ବସିଥିଲେ । ଏପରିକି ଏହି ସମୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ନୀତିନ ଗଡକରୀ ତାଙ୍କୁ ଅନଶନ ଭଙ୍ଗ କରିବାକୁ ଅପିଲ କରିଥିଲେ । ଯାହାକୁ ମାନି ନଥିଲେ ସାନେ ସ୍ୱାମୀ ସାନନ୍ଦ । ଦୀର୍ଘ ୧୧୧ ଦିନ ଆମରଣ ଅନଶନରେ ବସିବା ପରେ ତାଙ୍କର ପରଲୋକ ହୋଇଛି ।

ଏହା ପୂର୍ବରୁ ମଧ୍ୟ ଜ୍ଞାନ ସ୍ୱରୂପ ସାନନ୍ଦ ଗଙ୍ଗା ସଫା କରିବାକୁ ନେଇ ୨୦୧୨ରେ ଆମରଣ ଅନଶନରେ ବସିଥିଲେ । ସେତେବେଳେ ସରକାରଙ୍କ ପକ୍ଷରୁ ତାଙ୍କ ଦାବି ମାନି ନେବାକୁ ପ୍ରତିଶୃତି ମିଳିବା ପରେ ସେ ଅନଶନ ଭାଙ୍ଗି ଥିଲେ । ସ୍ୱାମୀ ଜ୍ଞାନ ସ୍ୱରୂପ ସାନନ୍ଦଙ୍କ ପୂର୍ବରୁ ୨୦୧୧ରେ ଗଙ୍ଗାର ସମସ୍ୟାକୁ ନେଇ ଅନଶନରେ ବସିଥିବା ସ୍ୱାମୀ ନିଗମାନନ୍ଦଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।