କନକ ବ୍ୟୁରୋ: ନିର୍ଦ୍ଦୟ ବାପା-ମାଆ ଝିଅର ତଂଟି ଚିପି ମାରିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଭଉଁରିଆବାଙ୍କ ସାହିରେ । ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଝିଅର ତଣ୍ଟିଚିପି ଜୀବନରୁ ମାରିଦେଲେ ଉଭୟ । ସୁଚନା ମୁତାବକ ଗାଁର ବାବାଜୀ ବାରିକ ଓ ତାଙ୍କ ଦ୍ୱିତୀୟ ପତ୍ନୀ ମିଶିକରି ନିଜ ଝିଅ ପାର୍ବତୀର ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ୧୫ ବର୍ଷୀୟ ମୃତ ପାର୍ବତୀର ଦାଦା ତିହିଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଭିଯୋଗ ଅନୁସାରେ ପାର୍ବତୀଙ୍କ ସାବତ ମାଆ ତଥା ବାବାଜୀଙ୍କ ଦ୍ୱିତୀୟ ପତ୍ନୀ ଝିଅର ତଂଟି ଚିପି ଜୀବନରୁ ମାରିଦେଇଛନ୍ତି । ଗୁରୁତର ଅବସ୍ଥାରେ ପାର୍ବତୀଙ୍କୁ ପ୍ରଥମେ ତିହିଡି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସୟମରେ ମଝି ବାଟରେ ପାର୍ବତୀଙ୍କର ମୃତ୍ୟୁ ହୋଇଛି ।
ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ପାର୍ବତୀ ଜଣେ ଉତ୍ତମ ଛାତ୍ରୀ ଥିଲେ କିନ୍ତୁ ତାଙ୍କ ସାବତ ମାଆ ତାଙ୍କୁ ସବୁବେଳେ ଅତ୍ୟାଚାରିତ କରୁଥିଲେ । ହେଲେ କେଉଁ କାରଣରୁ ପାର୍ବତୀର ତଣ୍ଟି ଚିପି ମାରିଦେବାକୁ ପଛାଇଲେନି ସାବତ ମାଆ ଜଣକ । ପୋଲିସ୍ ଉଭୟଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।