ଗଜପତି: ସରପଂଚ ପ୍ରାର୍ଥିନୀଙ୍କୁ ହତ୍ୟା,ଅପହରଣ ପରେ ଦୁଷ୍କର୍ମ ସନ୍ଦେହ

35

କନକ ବ୍ୟୁରୋ : ଗଜପତି ଜିଲ୍ଲା ମୋହନାରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ସରପଂଚ ପ୍ରାର୍ଥିନୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରିବା ସହ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୋହନା ବ୍ଲକର ବାଘମାରୀ ପଂଚାୟତର ସରପଂଚ ପ୍ରାଥୀନୀ ୩୧ ବର୍ଷୀୟ ମିନି ଦଳବେହେରା ପ୍ରାର୍ଥୀପତ୍ର ଦାଖଲ କରିବାର ୨ ଦିନ ପରେ ନିଖୋଜ ହୋଇଯାଇଥିଲେ ।

ଗତ ୧୩ ତାରିଖରୁ ନିଖୋଜ ହେବା ପରେ ଗତକାଲି ତାଙ୍କ ଦରପୋଡା ଶବ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟ ପାହାଡ ଉପରୁ ମିଳିଛି । ରାଜନୈତିକ ଷଡଯନ୍ତ୍ର କରି ବିପକ୍ଷ ଗୋଷ୍ଠୀ ତାଙ୍କ ଝିଅକୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାପା ପାଉଲ୍ ।

ପ୍ରାଥମିକ ତଦନ୍ତରୁ ମିନିଙ୍କ ସହ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରିଛି । ଗତକାଲି ସକାଳୁ ଛେଳି ଚରାଳିମାନେ ଦରପୋଡା ଶବ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଗଜପତି ଏସପି ପହଁଚି ତଦନ୍ତ କରିଥିଲେ । ସନ୍ଧ୍ୟାରେ ସନ୍ଧାନୀ କୁକୁର, ଫରେନସିକ୍ ଟିମ୍ ଆସି ତଦନ୍ତ କରି ଫେରିଛି ।

ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗି ରହିଛି । ପଂଚାୟତ ନିର୍ବାଚନ ବାତିଲ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମିନି ୧୧ତାରିଖରେ ନାମାଙ୍କନପତ୍ର ଦାଖଲ କରିଥିଲେ ଏବଂ ୧୩ତାରିଖରେ ଚନ୍ଦ୍ରଗିରି କାନାରା ବ୍ୟାଙ୍କ ଶାଖାକୁ ଟଙ୍କା ଉଠାଇବାକୁ ଯାଇ ଆଉ ଫେରିନଥିଲେ ।