ଦିନକ ପରେ ସ୍ୱାଧୀନତା ଦିବସ ! ଦିଲ୍ଲୀ ଲାଲକିଲ୍ଲାରେ ଚାଲିଛି ପରେଡ଼ର ଫୁଲ ଡ୍ରେସ ରିହର୍ସଲ

49

କନକ ବ୍ୟୁରୋ: ଆଉ ଗୋଟିଏ ଦିନର ବ୍ୟବଧାନ ପରେ ପାଳିତ ହେବ ୭୧ ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଫୁଲ୍‌ ଡ୍ରେସରେ ମହାତ୍ମାଗାନ୍ଧି ରୋଡ଼ରେ ପରେଡ଼ରେ ଅଂଶ ଗ୍ରହଣ କରୁଥିବା ଦଳ ଗୁଡ଼ିକ ଅଭ୍ୟାସ କରିଛନ୍ତି । ଚଳିତ ବର୍ଷ ତିନୋଟି ନୂଆ ଟିମ୍‌ ପରେଡ଼ରେ ସାମିଲ ହୋଇଛନ୍ତି । ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ପୋଲିସ ମହା ନିର୍ଦ୍ଦେଶକ କେ.ବି ସିଂହ ସୂଚନା ଦେଇଛନ୍ତି ।

ଡିଜିପିଙ୍କ ସୂଚନାନୁସାରେ, ଏଥରକ ମୋଟ ୫୩ଟି ଦଳ ରାଜ୍ୟ ସ୍ତରୀୟ ପରେଡ଼ରେ ଅଂଶ ଗ୍ରହଣ କରିବେ । ପୂର୍ବ ଥର ୬୫ଟି ଦଳ ଭାଗ ନେଇଥିଲେ । ମୋଟ୍‌ ୨୫ ପ୍ଲାର୍ଟୁନ୍‌ ଫୋର୍ସ ପରେଡ଼ ସାମିଲ ହେବେ । ଏହା ସହିତ ତେଲେଙ୍ଗାନା ପୋଲିସ୍‌ ଫୋର୍ସ ମଧ୍ୟ ପରେଡ଼ରେ ଭାଗ ନେବେ । ସ୍ୱାଧୀନତା ଦିବସ ପାଇଁ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯାଇଛି । ମାହାତ୍ମାଗାନ୍ଧୀ ରୋଡ଼୍‌ ଉଭୟ ପାର୍ଶ୍ୱରେ ଫୋର୍ସ ମୁତୟନ ରହିବେ । ପିଏମଜି ଛକ ଉପରେ ୫୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଏହା ସହିତ ସହରର ବିଭିନ୍ନ ସ୍ଥାନରେ ସ୍ପେଶାଲ୍‌ ଡଗ୍‌ ସ୍କ୍ୱାଡ଼୍‌ ଓ କୁଇକ୍‌ ଆକ୍ସନ୍‌ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ନେଇ ପୋଲିସ୍‌ କମିଶନର ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି ।