ବିଜେଡି ପାଇଁ ଆଜିଠାରୁ ପ୍ରଚାରକୁ ଓହ୍ଲାଇବେ ନବୀନ । ଗଞ୍ଜାମରେ ନବୀନଙ୍କ ୬୦ କିଲୋମିଟରର ରୋଡ ସୋ, କନିଷି ଓ ଛତ୍ରପୁରରେ ସାଧାରଣ ସଭା

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ଭୋଟ

225

କନକ ବ୍ୟୁରୋ : ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ଭୋଟ। ନିର୍ବାଚନକୁ ଆଉ ୯ଦିନ ବାକି ଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପାରଳାଖେମୁଣ୍ଡିରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ପ୍ରଚାର କରି ସାରିଥିବା ବେଳେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଯିବେ ।

ସୂଚନା ଅନୁସାରେ, ଅପରାହ୍ନ ୩ଟାରୁ ରାତି ୮ଟା ୪୦ ମିନିଟ୍ ୫ ଘଣ୍ଟା ୪୦ ମିନିଟ ଭିତରେ ଗୋପାଳପୁର ନିର୍ବାଚନମଣ୍ଡଳୀର କନିଷି ଠାରୁ ବ୍ରହ୍ମପୁର ସହର ଦେଇ ରମ୍ଭା ପର୍ଯ୍ୟନ୍ତ ୬୦ କିଲୋମିଟର ମାରାଥନ୍ ରୋଡ଼ ସୋ’ କରିବା ସହ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବେ। ସେ ବ୍ରହ୍ମପୁର, ଛତ୍ରପୁର ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କନିଷି ଓ ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏହା ସହିତ ବ୍ରହ୍ମପୁର, ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନ୍ଏସିରେ ରୋଡ ସୋ’ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ୩ଟାରେ ନବୀନ ନିବାସରୁ ବାହାରି ହେଲିକପ୍ଟର ଯୋଗେ ବ୍ରହ୍ମପୁର ସହର ଉପକଣ୍ଠ କନିଷି ଯିବେ। ମୁଖ୍ୟମନ୍ତ୍ରୀ କନିଷି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଗୋପାଳପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବେ। ସେଠାରୁ ଅତ୍ୟାଧୁନିକ ଦଳୀୟ ପ୍ରଚାର ବସରେ ବ୍ରହ୍ମପୁର ସହରରେ ରୋଡ୍ ସୋ’ କରି ବ୍ରହ୍ମପୁର ବିଧାନସଭା ଆସନର ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ।

ସେଠାରୁ ଛତ୍ରପୁର ଷ୍ଟାଡ଼ିୟମରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଛତ୍ରପୁର ବିଧାନସଭା ଆସନର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନ୍ଏସିରେ ରୋଡ ସୋ’ କରି ମୁଖ୍ୟମନ୍ତ୍ରୀ ସଡ଼କ ମାର୍ଗରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି। ରାତ୍ର ୮ଟା ୪୦ରେ ରମ୍ଭାରେ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିଜେଡି ପ୍ରସ୍ତୁ୍ତି ଜୋର ଧରିଛି। ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।