ପୋଲସରା ପାଳଗଦା ଟ୍ରାଜେଡି: କଟକ ମେଡିକାଲରେ ଆଖି ବୁଜିଲା ଆଉ ଜଣେ ଶିଶୁ । ହୃଦୟ ବିଦାରକ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ମିଛି ମିଛିକା ରୋଷେଇ ଖେଳ ବେଳେ ପାଳଗଦାରେ ନିଆଁ ଲାଗି ସମସ୍ତେ ପୋଡିଯାଇଥିଲେ…

322

କନକ ବ୍ୟୁରୋ: ପାଳଗଦାର ନିଆଁ ଆଜି ଚାରି ଚାରି ଜଣ କଅଁଳ ଶିଶୁଙ୍କ ଜୀବନ ନେଇଛି । ଗଂଜାମ ଜିଲ୍ଲା ପୋଲସରା ଅଂଚଳରେ କୁନି ପିଲାମାନେ ପାଳଗଦା ପାଖରେ ମିଛମିଛିକା ରୋଷେଇ କରି ଖେଳୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ୪ ଜଣ ଶିଶୁ ପୋଡିଯାଇଥିଲେ । ବ୍ରହ୍ମପୁର ମେଡିକାଲରେ ୩ ଜଣ ଶିଶୁଙ୍କ ଜୀବନ ଯାଇଥିବା ବେଳେ ଆଉ ଜଣେ ଶିଶୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ପ୍ରାଣ ହରାଇଛି ।

ତେବେ ସମୟ ପ୍ରାୟ ସକାଳ ୧୦ଟା । ଖଇରଚ୍ଛଟା ଗାଁ, ପୋଲସରାରେ ସକାଳୁ ସକାଳୁ ଅଧା ତିଆରି ପାଇଖାନା ଘରେ ଖେଳୁଥିଲେ ୫-୬ ଜଣ ଛୋଟ ଛୋଟ ପିଲା । ବାଉଁଶ ଓ ପାଳରେ ଘର କରି ଖେଳୁଥିଲେ ପିଲାମାନେ । ହେଲେ କିଛି ସମୟ ପରେ ଯାହା ଘଟିଲା ସାରା ଅଂଚଳରେ ହାହାକାର ଖେଳିଗଲା । ମିଛିମିଛିକା ରୋଷେଇ ଖେଳ ଯେ କାଳ ପାଲଟିଯିବ, ଛୋଟ ପିଲା ହୋଇଥିବାରୁ ବୁଝିବା ସମ୍ଭବ ନଥିଲା । ପିଲା ଖେଳୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା ଘର ଭିତରେ । ପାଳରେ ନିଆଁ ଲାଗି ହୁ ହୁ ହୋଇ ଜଳିଥିଲା । ତା’ ଭିତରେ ଥିବା ୪ ଜଣଙ୍କ ଦେହରେ ନିଆଁ ଲାଗିଗଲା । ସେମାନଙ୍କ ବୟସ ୩ରୁ ୬ ବର୍ଷ ମଧ୍ୟରେ ହୋଇଥିବାରୁ ନିଆଁ କବଳରୁ ବାହାରି ଆସିବା ସମ୍ଭବ ହୋଇନଥିଲା । ପାଟିଶୁଣି ଗ୍ରାମବାସୀମାନେ ପହଁଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ସେତେବେଳକୁ ପୋଡି ଯାଇ ଗୁରୁତର ହୋଇଥିଲେ ଚାରି ଜଣ ଶିଶୁ ।

ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଅତି ହୃଦୟ ବିଦାରକ । ପରିବାର ଲୋକଙ୍କ କୋହ ଫଟା କାନ୍ଦ ଯେମିତି ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା, ସେମିତି ଛାତିଫଟା ଥିଲା ଅଧାପୋଡ଼ା ଶିଶୁଙ୍କ ଯନ୍ତ୍ରଣା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ୩ଜଣ ଶିଶୁ

ମୃତ ଶିଶୁଙ୍କ ପରିବାରକୁ ସମଦେବନା ଜଣାଇବା ସହ ୪ ଲକ୍ଷ ଲେଖାଁଏ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ଶିଶୁର ମାଗଣା ଚିକିତ୍ସା ଯୋଗାଇ ଦେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ । ସେହିପରି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।