ବର୍ଷା ଭିଜାଇ ଥିଲା ଏବେ ବନ୍ୟା ବୁଡାଇଲା ! ଦକ୍ଷିଣ ଓଡ଼ିଶା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ଫୁଲୁଛି ନଦୀ, ବିପଦ ସଂକେତ ଉପରେ ବନ୍ୟାଜଳ ।

37

କନକ ବ୍ୟୁରୋ : ତିତଲି ଚାଲିଗଲା ହେଲେ ଅନେକଙ୍କୁ ଦୁଃଖ ଦେଇଗଲା । ଏବେବି ଅନେକ ଗାଁ ଅଛି, ଯେଉଁଠି ଅଂଟାଏ ପାଣିରେ ଏବେ ବି ଲୋକ ରହିଛନ୍ତି । ଏମିତି ଅଂଚଳରେ ବାତ୍ୟା ପରର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଅଟେ । ପ୍ରଥମେ ବାତ୍ୟା ପରେ ବର୍ଷା । ଆଉ ଲଗାଣ ବର୍ଷା ଏବେ ସୃଷ୍ଟି କରିଛି ଜଳବନ୍ଦୀର ସ୍ଥିତି । ଏ ହେଉଛି ପୁରୀ କଣାସ ବ୍ଲକର ଘଟଣା । ବର୍ଷା ପାଣି ଜମିବା ଯୋଗୁଁ ବ୍ଲକର ୫ଟି ପଂଚାୟତର ୨୪ଟି ଗାଁର ଲୋକେ ଏବେ ଜଳବନ୍ଦୀ । ଜୁଆଡେ ଚାହିଁଲେ ପାଣି ହିଁ ପାଣି । ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି, ଯାତାୟତ ଏକପ୍ରକାର ଠପ୍ ।

ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓଡ଼ିଶାକୁ ଘାରିଛି ବନ୍ୟା ଚିନ୍ତା । ଏବେବି ବସ୍ତା ଅଂଚଳରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ । ବସ୍ତାର ପେଜଗଳା ଚଟାଣଠାରେ ରାସ୍ତା ଉପରେ ପ୍ରବାହିତ ହେଉଛି ୫ରୁ ୬ ଫୁଟର ବନ୍ୟାଜଳ । ଫଳରେ ବସ୍ତା-ବାଲିଆପାଳ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି କାଂଶବାଂଶ ନଦୀର ଜଳସ୍ତର  ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସୋର ବ୍ଲକର ୩୦ଟି ଗାଁରେ ଜମିକୁ ମାଡି ଯାଇଛି ବର୍ଷା ପାଣି ।

କଟକ ନରସିଂହପୁରରେ ମଧ୍ୟ ସମାନ ଅବସ୍ଥା । ବାଲିଝରୀଠାରୁ କମଳାଡିହ ପର୍ଯ୍ୟନ୍ତ ବିଭିନ୍ନ ଯାଗାରେ ଘାଇ ହେବାରୁ  ଚାଷ ଜମିରେ ପାଣି ମାଡି ଯାଇଛି । ଫଳରେ ଏକର ଏକର ଧାନ ଜମିରେ ପାଣି ଜମି ରହି ଧାନ ଗଜା ହେବାକୁ ବସିଲାଣି । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ  । ଆଉ ଏବେ ବର୍ଷାରୁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଲୋକଙ୍କ ପାଇଁ ଏକ ନୂଆ ସମସ୍ୟା ହୋଇ ସାମ୍ନାକୁ ଆସିଛି ।