କେବିସିରୁ ତିତଲିର କନେକ୍ସନ୍ କାଢ଼ିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ! ନବୀନ କହିଲେ, ସେମାନେ ସମାଲୋଚନା କରନ୍ତୁ, ଆମେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ।

69

କନକ ବ୍ୟୁରୋ : କୌନ୍ ବନେଗା କୋରଡପତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଯେତେବେଳେ ଝଡ ଚାଲିଥାଏ , ସେତେବେଳେ ମୁଖ୍ୟମନ୍ତ୍ରୀ କେବିସି ସେଟରେ ବସି ନିଜର ଆତ୍ମପ୍ରଚାର କରୁଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏଥିସହ ଜିରୋ କାଜୁଆଲଟିର ନାରା ଦେଇ ବିଜେଡି ସରକାର ନିଜର ପ୍ରଚାର କରୁଥିଲା ବୋଲି ବିଜେପି ଅଭିଯୋଗ ଆଣିଛି । ସେପଟେ ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ଦେଇ ବିଜେଡି କହିଛି, କେବିସି ପାଇଁ ଢେର ଆଗରୁ ସୁଟିଂ ହୋଇଥିଲା । ଅର୍ଥାତ୍ ବାତ୍ୟା ତିତଲି ଆସିବାର ଅନେକ ପୂର୍ବରୁ ଏହାର ସୁଟିଂ ସରିଥିଲା । ଏସବୁ କାର୍ଯ୍ୟକ୍ରମରେ କେତେ ଆଗରୁ ସୁଟିଂ ହୁଏ ସେ ବିଷୟରେ ବିଜେପି ଜାଣିବା ପରେ ଅଭିଯୋଗ ଆଣିବା ଉଚିତ ବୋଲି କହିଛି ବିଜେଡି ।

କେବିସି ସୋ’ରେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଂଶଗ୍ରହଣକୁ ନେଇ ସରଗରମ୍ ହୋଇଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆପତି ଉଠାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଆଉ ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ଯେତେବେଳେ ବାତ୍ୟା ଓ ପରବର୍ତୀ ଲଗାଣ ବର୍ଷା ଓଡ଼ିଆ ଲୋକଙ୍କୁ ଚିନ୍ତାରେ ପକାଉଥିଲା, ଆପଣ ନିଜର ଆତ୍ମ ପ୍ରଚାର ପାଇଁ ସୋନୀ ଟିଭିରେ କୌନ୍ ବନେଗା କରୋଡପତି ଶୋ’ରେ ଉତ୍ସବ ପାଳନ କରିବାକୁ ଆପଣଙ୍କ ବିବେକ ବାଧା ଦେଲାନି ।

naveen and dharmendra in one diasକେବଳ ଏତିକି ନୁହେଁ ଲୋକଙ୍କ ଦୁର୍ଦ୍ଦଶା ସମୟରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ଫଟୋସୁଟ୍ କରିଥିବା ଅଭିଯୋଗ କରିଛନ୍ତି । ଜିରୋ କାଜୁଏଲଟିର ନାରା ଦେଇ ମୁଖ୍ୟମନ୍ତ୍ରୀ ନିଜ ପ୍ରଚାରରେ ସୀମିତ ରହୁଥିବା କେନ୍ଦ୍ରମନ୍ତ୍ରୀ ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଆରୋପ ଉପରେ କଡ଼ା ପ୍ରତ୍ୟାରୋପ୍ କରିଛି ବିଜେଡି । ବିିଜେଡି କହିଛି-କେନ୍ଦ୍ରମନ୍ତ୍ରୀଙ୍କ ସାମାନ୍ୟ ଜ୍ଞାନ ରହିଖିବା ଉଚିତ ଯେ, ବାତ୍ୟାର ବହୁ ପୂର୍ବରୁ କେବିସି ପାଇଁ ସୁଟିଂ ହୋଇଥିଲା ।

ଆଉ ଏପଟେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ ଧରି ସାମ୍ବାଦିକ ସମ୍ମିଳନୀକୁ ଓହ୍ଲାଇ ଆସିଛି ବିଜେପି ବ୍ରିଗେଟ୍ । ସରକାର ମିଛ ପ୍ରଚାର କରୁଥିବା ଅଭିଯୋଗ କରିବା ସହ ମୃତକଙ୍କ ତାଲିକା ଠିକଣା ସହ ରହିଛି ବିଜେପି । ଏହାକୁ ନେଇ ବିଜେଡି କହିଛି ତୁଚ୍ଛା ରାଜନୀତି କରୁଛି ବିଜେପି । ଅନୁରୁପ ଭାବରେ ଜିରୋ କାଜୁଏଲିର ନାରା କେବଳ ବିଜ୍ଞାପନରେ ସୀମିତ ଥିବା ଅଭିଯୋଗ କରିଛି ବିଜେପି । ଜବାବରେ ବିଜେଡି କହିଛି-ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ଉଚିତ ନୁହେଁ ।

ରାଜନୀତିର ଏହି ଟଣା-ଓଟରା ଭିତରେ କିନ୍ତୁ ବାତ୍ୟା ପୂର୍ବରୁ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ସରକାର । ଆଉ ବନ୍ୟା ସ୍ଥିତି ଉପୁଜିବା ପରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି । ଆଉ ବିରୋଧୀଙ୍କ ଅଭିଯୋଗର ଜବାବ୍ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି-ସେମାନେ ସମାଲୋଚନା କରନ୍ତୁ, ଆମେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ । ବାତ୍ୟା ଓ ବନ୍ୟା ସମୟରେ ଯେତେବେଳେ ଜଣେ ଆଉ ଜଣଙ୍କ ପରେ ନିର୍ଭରଶୀଳ ହୋଇ ବିପର୍ଯ୍ୟୟର ମୁକାବିଲା କରିବା କଥା, ଠିକ୍ ସେତିକି ବେଳେ ଜଣେ ଆଉ ଜଣଙ୍କର ଦୋଷ ଦୁର୍ବଳତା ଖୋଜିବାରେ ଲାଗିଛନ୍ତି । କାରଣ ଆଗକୁ ଆସୁଛି ୨୦୧୯ ନିର୍ବାଚନ ।