ବିଧାୟକ ବଳଭଦ୍ର ମାଝୀଙ୍କ ବିରୋଧରେ ଥାନାରେ ମାମଲା ! କଳାହାଣ୍ଡି ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟାଙ୍କ ପରିବାରକୁ ଦୁର୍ବ୍ୟବହାର ଅଭିଯୋଗ

44

କନକ ବ୍ୟୁରୋ : ବିଧାୟକଙ୍କ ବିରୋଧରେ ଥାନାରେ ମାମଲା । କଳାହାଣ୍ଡି ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ମାଝୀଙ୍କ ପରିବାରକୁ ବିଧାୟକ ବଳଭଦ୍ର ମାଝୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପରିବାର ଲାଂଜିଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ୨୯୪ ଓ ୫୦୬ ଦଫାରେ ମାମଲା ରୁଜୁ ହୋଇଛି । ଖବର ଅନୁସାରେ ଲାଂଜିଗଡ ବ୍ଲକର ବାତେରଲିମା ପଂଚାୟତରେ ଏକ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଭୂମି ପୂଜନ କରିଥିଲେ ବିଧାୟକ ବଳଭଦ୍ର ମାଝୀ ଓ ତାଙ୍କ ପତ୍ନୀ । ତେବେ ଏହି କାର୍ଯ୍ୟକ୍ରମକୁ ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ମାଝୀଙ୍କୁ ଡକାଯାଇନଥିଲା ।

ଯାହାକୁ ନେଇ କଳ୍ପନା ଓ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ମାଝୀ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ । କାହିଁକି ଡକା ଗଲାନାହିଁ ବୋଲି ପ୍ରଶ୍ନ କରିବାରୁ ବିଧାୟକ ରାଗି ଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ପରିବାରକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ପରିଷଦ ସଭ୍ୟ ଲାଂଜିଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଥମେ ପୁଲିସ ଘଟଣା ଟିକୁ ଚପେଇ ଦେବା ପାଇଁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି । ତେବେ ଗତକାଲି ବିଜେପି ପକ୍ଷରୁ ଥାନା ଘେରାଉ କରାଯିବା ପରେ ବିଧାୟକ ବଳଭଦ୍ର ମାଝୀଙ୍କ ବିରୋଧରେ ଆଇପିସି ଧାରା ୨୯୪ ଓ ୫୦୬ ଦଫାରେ ମାମଲା ରୁଜୁ କରିଛି ।