ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ବିବାଦ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ !

50

କନକ ବ୍ୟୁରୋ : ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ବିବାଦ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି । ଆଜି ପ୍ରଥମ ଦିନରେ ସବୁ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରାଥମିକ ଔପଚାରିକତା ପୂରଣ କରିବାକୁ କୋର୍ଟ କହିଛନ୍ତି । ଏହି ମାମଲା ସମ୍ପର୍କୀତ ସମସ୍ତ କାଗଜପତ୍ରର ଅନୁବାଦ କରିବା ପାଇଁ ସୁନି ୱାକ୍ଫ ବୋର୍ଡକୁ ୧୨ ସପ୍ତାହ ମଧ୍ୟରେ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ରାମଲଲା ବିରାଜମାନଙ୍କ ଦାବି ଅନୁସାରେ ୪ ସପ୍ତାହ ମଧ୍ୟରେ ସମସ୍ତ କାଗଜପତ୍ରକୁ ଅନୁବାଦ କରିବାକୁ କୋର୍ଟ କହିଛନ୍ତି । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ପ୍ରାୟ ୯ ହଜାର ପୃଷ୍ଟାର ନଥିପତ୍ର ଓ ୯୦ ହଜାର ପୃଷ୍ଠାର ସାକ୍ଷ୍ୟ ପ୍ରମାଣ ପାଲି, ପାର୍ସି, ସଂସ୍କୃତ. ଆରବୀ ତଥା ଭିନ୍ନ ଭିନ୍ନ ଭାଷାରେ ରହିଛି । ତେଣୁ ଏହି ସମସ୍ତ କାଗଜପତ୍ରକୁ ଅନୁବାଦ କରି ସମସ୍ତ ପକ୍ଷକୁ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି । ପ୍ରଥମେ ଆଜିର ଶୁଣାଣିରେ ଉତ୍ତରପ୍ରଦେଶର ଆଡଭୋକେଟ୍ ଜେନେରାଲ ନିଜର ପକ୍ଷ ରଖି ମାମଲାର ଶୀଘ୍ର ଶୁଣାଣି କରି ରାୟ ପ୍ରକାଶ ଅନୁରୋଧ କରିଥିଲେ ।

ସେହିପରି ଏହି ମାମଲାର ଆଉ ଜଣେ ପକ୍ଷ ଭାବେ ସୁବ୍ରମଣ୍ୟମ ସ୍ୱାମୀ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ସାଧାରଣ ଲୋକଙ୍କୁ ପୂଜା କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ସେପଟେ ସୁନ୍ନୀ ୱାକଫ ବୋର୍ଡ ପକ୍ଷରୁ କେସ୍ ଲଢ଼ଥିବା ଆଇନଜୀବୀ କହିଥିଲେ ଏହି ମାମଲାରେ କେତେ ଜଣ ପକ୍ଷଙ୍କର ମୃତ୍ୟୁ ହୋଇ ସାରିଲାଣି, ତେଣୁ ପୁଣି ଥରେ କିଏ କେଉଁ ପକ୍ଷର ତାହା ସ୍ୱଷ୍ଟ ହେବା ଆବଶ୍ୟକ । ୨୦୧୦ରୁ ବନ୍ଦ ହୋଇଥିବା ରାମମନ୍ଦିର-ବାବ୍ରୀ ମସଜିଦ୍ ମାମଲାର ଦୀର୍ଘ ୭ ବର୍ଷ ପରେ ପୁଣି ଥରେ ଆଜିଠାରୁ ଶୁଣାଣି ଆରମ୍ଭ ହୋଇଛି ।