ସାଂସଦଙ୍କୁ ବିଧାୟକଙ୍କ ଆହ୍ୱାନ ! ସାହସ ଅଛି ତ ପଦ ଛାଡ,ନିର୍ବାଚନ ଲଢ । ବୈଜୟନ୍ତ ବନାମ ପ୍ରମିଳା

28

କନକ ବ୍ୟୁରୋ : ସାଂସଦ ବୈଜୟନ୍ତ ପଣ୍ଡା ଓ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମିଳା କହିଛନ୍ତି, ଯଦି ବୈଜୟନ୍ତଙ୍କ ଲୋକପ୍ରିୟତା ଅଛି, ତାହେଲେ ସେ ଇସ୍ତଫା ଦେଇ ନିର୍ବାଚନ ଲଢନ୍ତୁ । ପ୍ରମିଳାଙ୍କ ଏଭଳି ଚ୍ୟାଲେଂଜ ପରେ ଚୁପ୍ ବସି ନାହାନ୍ତି ବୈଜୟନ୍ତ । କଟାକ୍ଷ କରି କହିଛନ୍ତି, ଯଦି ସେ ତଦନ୍ତ କରି ରିପୋର୍ଟ ଦେବାରେ ଏତେ ଦକ୍ଷ ସେ କୁନ୍ଦୁଲି ଘଟଣାର ତଦନ୍ତ କରନ୍ତୁ ।

ବୈଜୟନ୍ତଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲିକଙ୍କ ଚ୍ୟାଲେଂଜ । ଯଦି ଲୋକପ୍ରିୟତା ଅଛି ତେବେ ସାଂସଦ ପଦରୁ ଇସ୍ତଫା ଦେଇ ନିର୍ବାଚନ ଲଢନ୍ତୁ ବୈଜୟନ୍ତ । ଦଳରୁ ନିଲମ୍ବିତ ହେବା ପରେ ବି ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ଜାରି ରହିଛି ତୁ ତୁ ମେ ମେ । ସାଂସଦ ପଦରୁ ଇସ୍ତଫା ଦେବାକୁ କେନ୍ଦ୍ରାପଡ଼ାର ବିଜେଡି ନେତା ପ୍ରେସ କଫରେନସ କରି ଆହ୍ୱାନ ଦେବା ପରେ ଆଜି ଏହି କଥାକୁ ଦୋହରାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ । ପୂର୍ବରୁ ବୈଜୟନ୍ତଙ୍କ ବିରୋଧରେ ପ୍ରମିଳା, ଦଳ ବିରୋଧୀ ଅଭିଯୋଗର ତଦନ୍ତ କରିଥିଲେ । ଏବଂ ତିନି ଦିନ ପରେ ସେ ରିପୋର୍ଟ ଦେଇଥିଲେ ଯେ ବୈଜୟନ୍ତ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ନିର୍ବାଚନ ମଣ୍ଡଳୀର ଅଧିକାଂଶ କର୍ମୀ ମତ ଦେଇଛନ୍ତି ।

ସେପଟେ ଆଜି ପ୍ରମିଳାଙ୍କ ମନ୍ତବ୍ୟ ପରେ ପରେ ଟ୍ୱିଟ୍ କରି ଜବାବ ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ତାଙ୍କ ଟ୍ୱିଟ୍ ପେଜରେ କଟାକ୍ଷ କରି ଲେଖିଛନ୍ତି, ଚିଟଫଣ୍ଡ ଓ କୁନ୍ଦୁଲି ଘଟଣାର ତଦନ୍ତ ପ୍ରମିଳା କଲେ ଅଧିକ ଲାଭ ହେବ । ତିନି ଦିନ ଭିତରେ ତଦନ୍ତ ରିପୋର୍ଟ ଦେବା ଓ ଦୋଷୀଙ୍କୁ ଖୋଜିବାରେ ପ୍ରମିଳାଙ୍କ ପୁରୁଣା ରେକର୍ଡ ରହିଛି ବୋଲି ଟ୍ୱିଟରେ ତାତ୍ସଲ୍ୟ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ବୈଜୟନ୍ତଙ୍କ ଏହି ଟ୍ୱିଟ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଦଳରୁ ନିଲମ୍ବନ ହେବା ପରେ କ’ଣ କରିବେ ବୈଜୟନ୍ତ ଏହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବିଜେଡି ଛାମୁଆ ନେତାଙ୍କ ସହ ଚାଲିଛି ବାକ୍ୟୁଦ୍ଧ । ଆଗକୁ ବୈଜୟନ୍ତ ଓ ବିଜେଡି ଲଢେଇ କେଉଁ ମୋଡ ନେବ, ତାକୁ ନେଇ ଚର୍ଚ୍ଚା ।