ବିଷ ଓ ବିଧାନସଭା ! ଚାଷୀ ଆତ୍ମହତ୍ୟା ନେଇ ଜୋରଧରିଲା କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି

37

କନକ ବ୍ୟୁରୋ : ଫସଲ ହାନୀ ଯୋଗୁଁ ରାଜ୍ୟର ଚାଷୀ ଆତ୍ମହତ୍ୟା କରୁଛି, ଏହାକୁ ସ୍ୱୀକାର କରିବାକୁ ରାଜି ନୁହଁନ୍ତି ସରକାର । ଏପଟେ ଦିନକୁ ଦିନ ବଢିଚାଲିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଆଉ ଏଭଳି ସ୍ଥିତିରେ ଅକଳରେ ପଡିଛନ୍ତି କୃଷିମନ୍ତ୍ରୀ । କାରଣ ବିଧାନସଭାରେ ଚାଷୀ ଆତ୍ମହତ୍ୟାକୁ ନେଇ ଲାଗିରହିଛି ତମ୍ବିତୋଫାନ । ଗୃହକୁ ବିଭ୍ରାନ୍ତ କରିଥିବାରୁ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି କଂଗ୍ରେସ ଓ ବିଜେପି । ସାରା ରାଜ୍ୟକୁ ଖାଦ୍ୟ ଯୋଗାଉଥିବା ଚାଷୀଙ୍କ ପ୍ରତି ସରକାରଙ୍କ ଦରଦ କେତେ, ତାକୁ ନେଇ ଆକ୍ରମଣ ଜାରି ରଖିଛନ୍ତି ।

ବୌଦ୍ଧ ଜିଲ୍ଲା ପାଲି ଗାଁରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ । ପ୍ରାୟ ଲକ୍ଷେ ଟଙ୍କାରୁ ଅଧିକ ଋଣ ଆଣି ପରିବା ଚାଷ କରିଥିବା ବହ୍ଲବ ଧରେଇ ଚାଷ ଉଜୁଡି ଯିବା ପରେ ବିଷପିଇ ଆତ୍ମହତ୍ୟା କରିଛନ୍ତି । ଫସଲ ହାନୀ ଯୋଗୁଁ ସେ ଆତ୍ମହତ୍ୟା କରିଥିବା କହୁଛନ୍ତି ପରିବାର ଲୋକେ ।

ସେପଟେ ଏସସିବି ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯାଜପୁର ନିତ୍ୟାନନ୍ଦପୁରର ଚାଷୀ କଳିଙ୍ଗ ଘଙ୍ଗାଇ । ଅଦିନିଆ ବର୍ଷା ଫସଲ ଉଜାଡି ଦେବା ପରେ ଋଣ କରି ଚାଷ କରିଥିବା ଏହି ଯୁବ ଚାଷୀ ନେଇଥିଲେ ଚରମ ପଦକ୍ଷେପ ।

ଗୋଟିଏ ପଟେ ବଢି ଚାଲିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଆଉ ଏପଟେ ଚାଷୀଙ୍କ ସମସ୍ୟାକୁ ନେଇ ଦୁଲୁକିଛି ବିଧାନସଭା । ବିରୋଧୀଙ୍କ ଆକ୍ରମଣରେ ଘାଇଲା ସରକାର । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କ ସଫେଇ ସତ ନୁହେଁ । କୃଷିମନ୍ତ୍ରୀ ଗୃହରେ ମିଛ କହିଛନ୍ତି । ଏହାକୁ ପ୍ରସଙ୍ଗ କରି ଗୃହକୁ ଅଚଳ କରି ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଏବର୍ଷ ଆରମ୍ଭରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଥିଲା ବରଗଡ ଜିଲ୍ଲାରୁ । ଫସଲ ହାନୀ ଯୋଗୁଁ ହାଡୁ ବଗର୍ତି ଓରଫ ଖଏନୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଲେ । ହେଲେ ପ୍ରାଶାସନିକ ତଦନ୍ତକୁ ଆଳ କରି ବିଧାନସଭାରେ କୃଷିମନ୍ତ୍ରୀ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗ କରିଆସୁଛନ୍ତି ବିରୋଧୀ ।

ସାରା ରାଜ୍ୟକୁ ଖାଦ୍ୟ ଯୋଗାଇ ଦେଉଥିବା ଚାଷୀ କେଉଁଠି ଅଭାବି ବିକ୍ରିର ଶିକାର ହେଉଛି, ତ ପୁଣି କେଉଁଠି ଉଜୁଡି ଯାଉଛି ତାର ଫସଲ । ସେଥିପାଇଁ ଜୀବନ ହାରି ଦେବାକୁ ବାଧ୍ୟ ହେଉଛି ଚାଷୀ । ହେଲେ ଫସଲ ହାନୀ ଯୋଗୁଁ ଯେ, ଚାଷୀ ଆତ୍ମହତ୍ୟା କରୁଛି ଏଭଳି ସତ୍ୟକୁ ସ୍ୱୀକାର କରିବା ପାଇଁ ସରକାରଙ୍କ ସତସାହସ ନାହିଁ । ବୌଦ୍ଧରୁ ବିଶ୍ୱଜିତ, କଟକରୁ ରାଜକିଶୋରଙ୍କ ସହ ଭୁବନେଶ୍ୱରରୁ ଭବାନୀ ଓ ପ୍ରିୟପ୍ରୀତମଙ୍କ ରିପୋର୍ଟ, କନକ ନ୍ୟୁଜ ।