ଚାଷୀଙ୍କ ପାଇଁ ଖୁସି ଖବର ! ଋଣ ପରିଶୋଧ ପାଇଁ ଅଧିକ ସମୟ ମିଳିବ

106

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । ଋଣ ପରିଶୋଧ ପାଇଁ ଅଧିକ ସମୟ ମିଳିବ । ମରୁଡ଼ି ଏବଂ ଅଦିନିଆ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟର ଚାଷୀମାନଙ୍କୁ ବ୍ୟାଙ୍କ ଋଣ ପରିଶୋଧ କରିବା ନିମନ୍ତେ ଅଧିକ ସମୟ ମିଳିବ । କ୍ଷୟକ୍ଷତିର ମାତ୍ରା ଅନୁଯାୟୀ ଋଣ ଶୁଖିବା ପାଇଁ ଦୁଇରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଧିକ ସମୟ ପ୍ରଦାନ କରାଯିବ । ସମସ୍ତ ସ୍ୱଳ୍ପକାଳୀନ ଋଣଗୁଡ଼ିକର ପୁନର୍ଗଠନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଯେଉଁ ମୂଳଧନ ଏବଂ ସୁଧ ମରୁଡ଼ି ଏବଂ ଅଦିନିଆ ବର୍ଷ ସମୟରେ ପରିଶୋଧନ କରିବାର ଥିଲା ସେଗୁଡ଼ିକ ସବୁ ମିଆଦୀ ଋଣରେ ପରିଣତ ହେବ ।

ପ୍ରାକୃତିକ ବିପର୍ୟ୍ୟୟର ଗମ୍ଭୀରତା, ପୁନରାବୃତ୍ତି, ଆର୍ଥିକ କ୍ଷୟକ୍ଷତି ଆଦି ବିଷୟ ବିଚାରକୁ ନେବା ପରେ ବ୍ୟାଙ୍କଗୁଡ଼ିକ ପୁନର୍ଗଠିତ ହୋଇଥିବା ଋଣର ପରିଶୋଧ ସମୟ ସୀମା ଧାର୍ୟ୍ୟ କରିବେ । ଯଦି କ୍ଷତି ପରିମାଣ ୩୩-୫୦% ଭିତରେ ହୋଇଥିବ ତେବେ ଋଣ ପରିଶୋଧ ପାଇଁ ଚାଷୀଙ୍କୁ ଅତିବେଶିର ଦୁଇ ବର୍ଷର ଅଧିକ ସମୟ ପ୍ରଦାନ କରାଯିବ । କ୍ଷତି ପରିମାଣ ୫୦%କୁ ଟପିଗଲେ ଋଣ ପରିଶୋଧର ସମୟ ସୀମା ୫ ବର୍ଷ ପର୍ୟ୍ୟନ୍ତ ବୃଦ୍ଧି କରାଯିବ । ରାଜୀବ ଭବନଠାରେ କୃଷି ଋଣ ଉପରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ସବ୍ କମିଟି ବୈଠକରେ ପ୍ରାକୃତିକ ବିପର୍ୟ୍ୟୟ ଯୋଗୁଁ ଚାଷୀମାନେ କିଭଳି ପ୍ରଭାବିତ ହୋଇଛନ୍ତି ସେ ବିଷୟରେ ଆଲୋଚନା ହୋଇଛି । ଏହି ସବୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି ।

ଚଳିତ ମାସ ୭ ତାରିଖ ସୁଦ୍ଧା ଚାଷୀମାନଙ୍କ ଋଣ ଖାତାର ପୁନର୍ଗଠନ ପ୍ରକ୍ରିୟା ଶେଷ କରିବାକୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଚାଷୀମାନେ ଯେଭଳି ବ୍ୟାଙ୍କ ଶାଖାରେ ଅଧିକ ହଇରାଣ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାର କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀମାନଙ୍କୁ ୧୦ ହଜାର ଟଙ୍କାର ଋଣ ଯୋଗାଇ ଦେବା ପାଇଁ ମଧ୍ୟ ସରକାର ବ୍ୟାଙ୍କଗୁଡ଼ିକୁ କହିଛନ୍ତି ।