ଶାଶୂଙ୍କୁ ଭରଣପୋଷଣ ଦେବ ବୋହୂ ! ଜୟପୁର ପରିବାର ଅଦାଲତଙ୍କ ଐତିହାସିକ ରାୟ

60

କନକ ବ୍ୟୁରୋ: ଶାଶୂଙ୍କୁ ଭରଣପୋଷଣ ଦେବ ବୋହୂ । ଜୟପୁର ପରିବାର ଅଦାଲତଙ୍କ ଐତିହାସିକ ରାୟ । ଏହାସହ ଅଭିଯୋଗ ହେବା ଦିନଠାରୁ ରାୟ ପ୍ରକାଶ ହେବା ଯାଏଁ ସବୁ ଅର୍ଥ ୪ମାସ ମଧ୍ୟରେ ଦେବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ବୋରିଗୁମ୍ମା ବ୍ଲକ କୁମୁଲି ଅଂଚଳର ଗେଲମଣି ଦାଶଙ୍କ ସପକ୍ଷରେ ଏହି ରାୟ ଦେଇଛନ୍ତି ପରିବାର ଅଦାଲତର ବିଚାରପତି ସୁବ୍ରତ କୁମାର ମହାନ୍ତି ।

୧୯୮୭ନଭେମ୍ବର ୨ତାରିଖରେ ଗେଲମଣିଙ୍କ ପୁଅ କୈଳାଶ ଦାସଙ୍କୁ ହତ୍ୟା କରାଯାଇଥିଲା । ସେହି ସମୟରେ କୈଳାଶ କୁମୁଲି ଡାକ୍ତରଖାନାରେ ମ୍ୟାଲେରିଆ ବହୁମୁଖୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । କୈଳାଶଙ୍କ ମୃତ୍ୟୁ ପରେ ଥଇଥାନ ଯୋଜାନରେ ତାଙ୍କ ପତ୍ନୀ ମିନତୀଙ୍କୁ ଚାକିରୀ ମିଳିଥିଲା । ଏହାପରେ ମୀନତି କିଛି ଦିନ କୁମୁଲିରେ ଚାକିରୀ କରିବା ପରେ ମାଲକାନଗିରି ଜିଲ୍ଲା ମାଥିଲି ହସ୍ପିଟାଲକୁ ଚାଲିଯାଇଥିଲେ ଏବଂ ପରିବାର ସଦସ୍ୟଙ୍କୁ ଅଣଦେଖା କରିଥିଲେ । ଏଣୁ ୨୦୦୫ ନଭେମ୍ବର ୧୧ତାରିଖରେ ଶାଶୂ ଭରଣପୋଷଣ ଦାବି କରି କୋର୍ଟର ଆଶ୍ରୟ ନେଇଥିଲେ ।

ଫାଷ୍ଟଟ୍ରାକ କୋର୍ଟ ଗେଲମଣିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ମୀନତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରାୟ ୧୦ବର୍ଷ ପରେ ଏହି ମାମଲା ଉପରୁ ରହିତାଦେଶ ହଟାଇ ହାଇକୋର୍ଟ ଜୟପୁର ପରିବାର ଅଦାଲତକୁ ଏହାର ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ପରିବାର ଅଦାଲତ ସମସ୍ତ ସାକ୍ଷ୍ୟପ୍ରମାଣ ଓ ତଥ୍ୟକୁ ଭିତ୍ତିକରି ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି । ରାୟ ଅନୁସାରେ, ମୀନତି ପ୍ରତିମାସ ଗେଲମଣୀଙ୍କୁ ୧ହଜାର ଟଙ୍କା ଦେବେ । ଏଥିସହ ଭରଣପୋଷଣ ଆବେଦନ କଲା ଦିନଠାରୁ ଏବେ ଯାଏଁ ପ୍ରାୟ ୧ଲକ୍ଷ ୩୯ହଜାର ଟଙ୍କା ୪ମାସ ମଧ୍ୟରେ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି ।