ରସଗୋଲା ଲଢେଇ ପାଇଁ ଜାଗିଲେ ସରକାର ! ଜିଆଇ ମାନ୍ୟତା ଲାଗି ୮ଜଣିଆ କମିଟିର ଆଜି ବସିବ ବୈଠକ

142

କନକ ବ୍ୟୁରୋ: ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ସରକାର ତତ୍ପର । ଆଜି ବସୁଛି ୮ ଜଣିଆ କମିଟିର ବୈଠକ । ରସଗୋଲାର ଉତ୍ପତିସ୍ଥଳ ହାସଲ ପାଇଁ ତର୍ଜମା କରିବ କମିଟି । ବିଭିନ୍ନ ତଥ୍ୟକୁ ତର୍ଜମା କରି କମିଟି ଜିଆଇ ମାନ୍ୟତା ପାଇଁ ଆବେଦନ କରିବ । ଏଥିସହ ପାହାଳଠାରେ ଏକ ରସଗୋଲା କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି ।

ଉଲ୍ଲେଖଯୋଗ୍ୟ, ପାହାଳ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଏବେ ଆବେଦନ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଗତକାଲି ଶିଳ୍ପ ନିର୍ଦେଶକଙ୍କୁ ପକ୍ଷରୁ ଏମଏସଏମଇ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଏକ ଚିଠି ଦିଆଯାଇଛି । ତେବେ କେଉଁଭଳି ଭାବେ ଜିଆଇ ପାଇଁ ଆବେଦନ କରାଯିବ ସେଥିପାଇଁ ଏକ ୮ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଶିଳ୍ପ ନିର୍ଦେଶକ ଅଧ୍ୟକ୍ଷ ରହିଛନ୍ତି । ଏହାସହ ବିଜ୍ଞାନ ଓ ବୈଷୟିକ ବିଭାଗରୁ ୨ଜଣ, ଶିଳ୍ପ ବିଭାଗ, ସଂସ୍କୃତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଓୟୁଏଟିରୁ ଜଣେ ଏହି କମିଟିରେ ସଦସ୍ୟଭାବେ ରହିଛନ୍ତି । ଶିଳ୍ପ ବିଭାଗର ଅତିରିକ୍ତ ନିର୍ଦେଶକ ଆବାହକ ଭାବେ ଦାୟିତ୍ୱ ତୁଲାଇବେ ।

ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୁଇବର୍ଷ ତଳେ ଲଢ଼େଇ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ଯ୍ୟାଳୟରେ ଏଥିପାଇଁ ଆବେଦନ କରିସାରିଛନ୍ତି । ତେବେ ରାଜ୍ୟ ସରକାର ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ୱ ଦେଇଥିଲେ। ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲାର ଉତ୍ପତ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ। ବରଂ ବିଜ୍ଞାନ ଓ ବୈଷୟିକ ବିଭାଗ ଏହି ଦାୟିତ୍ୱ ପୁଣିଥରେ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

ଅପରପକ୍ଷରେ ପାହାଳଠାରେ ଏକ ରସଗୋଲା କ୍ଲଷ୍ଟର ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ୭କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଜିଆଇ ମାନ୍ୟତା ଦେବା ପୂର୍ବରୁ ଏହି କ୍ଲଷ୍ଟର ଗଠନ କରାଯିବ । ଏହି ଦୃଷ୍ଟିରୁ ପ୍ରତିଷ୍ଠା ହେବାକୁ ଥିବା ସିୟୁସିରେ କଞ୍ଚାମାଲ ସଂଗ୍ରହ, ସଂରକ୍ଷଣ ଓ ଯୋଗାଣ ପାଇଁ ବ୍ୟବସ୍ଥା ରହିବା ସହିତ ଗୁଣାତ୍ମକ ପାଣି ଓ ପ୍ରଯୋଗଶାଳାର ବ୍ୟବସ୍ଥା ହେବ । ପାହାଳ ରସଗୋଲାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ହେଲେ ଗୁଣାତ୍ମକ ପାଣି ଓ ଉଚ୍ଚମାନର ସମାଗ୍ରୀ ବ୍ୟବହୃତ ହେବା ଆବଶ୍ୟକ ।

ଏହାସହ ଏହି କେନ୍ଦ୍ରରେ ଶୀତଳୀକରଣ ମୋଟରଯାନ, ଛେନା ରଖିବା ପାଇଁ ଶୀତଳଭଣ୍ଡାର, କଞ୍ଚାମାଲ ବ୍ୟାଙ୍କ, ଛେନା ପରୀକ୍ଷଣ କେନ୍ଦ୍ର, ଦୁଗ୍ଧ ପରୀକ୍ଷା ବ୍ୟବସ୍ଥା, ଦୁଗ୍ଧରୁ ଛେନା ପ୍ରସ୍ତୁତ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ର ଆଦି ରହିବ। ବ୍ୟବସାୟିକ ଆଲୋଚନା ପାଇଁ ସୂଚନାକେନ୍ଦ୍ର ଓ ଆନୁଷାଙ୍ଗିକ ସମ୍ମିଳନୀ କକ୍ଷର ବ୍ୟବସ୍ଥା ମଧ୍ୟ କରାଯିବ। ବୃହତକାୟ ପାଣି ଟାଙ୍କି ଓ ଏହାକୁ ଚଳାଇବା ପାଇଁ ସୌରଚାଳିକ ପମ୍ପସେଟ ରହିବ । ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥର ସିଂହ ଭାଗ କେନ୍ଦ୍ର ସରକାରଙ୍କଠାର ଆଣିବା ପାଇଁ ଯୋଜନା ରହିଛି । କେନ୍ଦ୍ର ସରକାର ଏହି ଧରଣର କ୍ଲଷ୍ଟରକୁ ପ୍ରୋତ୍ସାହିତ କରୁଛନ୍ତି ।

ତେବେ ଏଥିପାଇଁ ଆରମ୍ଭରୁ ଜମି ସମସ୍ୟା ଦେଖାଦେଇଛି । ପ୍ରଥମରେ ରସଗୋଲା ବ୍ୟବସାୟୀଙ୍କୁ ଏହି ଜାଗା ଠିକ୍ କରିବା ପାଇଁ କୁହାଯାଇଥିଲେ ହେଁ ତାହା ହୋଇପାରି ନ ଥିଲା । ପାହାଳର ଆଖାପଖର ୪/୫ କି.ମି ବ୍ୟବଧାନରେ ଏଥିପାଇଁ ଏକ ଜାଗା ଠିକ୍ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛନ୍ତି। ଉପଯୁକ୍ତ ଜାଗା ଚିହ୍ନଟ ହେବା ପରେ ଇଡକୋ ସହିତ ଜାଗା ପାଇଁ ଆଲୋଚନା କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।