କନକ ବ୍ୟୁରୋ : ଓଡ଼ିଶାରୁ ଚିହ୍ନଟ ହୋଇଛି ଗୋଟିଏ ନକଲି ଇଞ୍ଜିନିୟରିଂ କଲେଜ । ଅଲ୍‌ ଇଣ୍ଡିଆ କାଉନ୍‌ସେଲିଂ ଫର୍‌ ଟେକ୍ନିକାଲ ଏଜୁକେସନ୍‌(ଏଆଇସିଟିଇ)ର ବିନା ଅନୁମତିରେ ଏହି କଲେଜ ଚାଲିଥିବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ୨୦୧୫ରୁ ୨୦୧୭ ମଧ୍ୟରେ ଦେଶରେ ମୋଟ ୨୭୮ଟି ନକଲି କଲେଜ ଥିବା ଜଣାପଡ଼ିଛି । ଗତବର୍ଷ ଓଡ଼ିଶାରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଥିବାରୁ ଇଞ୍ଜିନିୟରିଂ କଲେଜ ସଂଖ୍ୟା ଅଧିକ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ପରେ ବୈଷୟିକ ଶିକ୍ଷା ବିଭାଗକୁ ଟିକିଏ ଆଶ୍ୱସ୍ତି ମିଳିଛି ।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ତିନି ବର୍ଷରେ ଦିଲ୍ଲୀରେ ସର୍ବାଧିକ ୬୬ଟି ନକଲି ଇଞ୍ଜିନିୟରିଂ କଲେଜ ଚିହ୍ନଟ ହୋଇଛି । ତେଲେଙ୍ଗାନାରେ ୩୫, ପଶ୍ଚିମବଙ୍ଗରେ ୨୭, କର୍ଣ୍ଣାଟକରେ ୨୩, ଉତ୍ତରପ୍ରଦେଶରେ ୨୨, ହରିୟାଣାରେ ୧୮, ବିହାରରେ ୧୭, ମହାରାଷ୍ଟ୍ରରେ ୧୬, ତାମିଲନାଡ଼ୁରେ ୧୧, ଗୁଜୁରାଟରେ ୮, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡ଼ରେ ୭ଟି ଲେଖାଏ, ପଞ୍ଜାବରେ ୫, ଝାଡ଼ଖଣ୍ଡରେ ୪, ରାଜସ୍ଥାନରେ ୩, ଉତ୍ତରାଖଣ୍ଡରେ ୩, କେରଳରେ ୨, ଗୋଆରେ ୨, ଓଡ଼ିଶା ଓ ହିମାଞ୍ଚଳ ପ୍ରଦେଶରୁ ଗୋଟିଏ ଲେଖାଏ ନକଲି କଲେଜ ଥିବା ଜଣାପଡ଼ିଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୧୬ଟିରେ ନକଲି କଲେଜ ନ ଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଚିହ୍ନଟ ହୋଇଥିବା ଏହି କଲେଜଟି କଟକରେ ଥିଲା । ରାଜ୍ୟର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ନାଁରେ ଏହି କଲେଜ ଖୋଲିଥିଲା । ପିଲାଙ୍କ ନାମଲେଖା ମଧ୍ୟ ହୋଇଥିଲା । ୨୦୧୫ରେ ଏଭଳି ଘଟଣା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ଆଡ଼ୁ ଦାବି ଉଠିଥିଲା । ଏନେଇ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ କଲେଜରେ ତାଲା ପଡ଼ିଥିଲା ।

ଓପେକା ସମ୍ପାଦକ ବିନୋଦ ଦାସ କହିଛନ୍ତି ଯେ ଏବେ ଓଡ଼ିଶାରେ ନକଲି ଇଞ୍ଜିନିୟରିଂ କଲେଜ ନାହିଁ । ଦୁଇ ବର୍ଷ ତଳେ କଟକରେ ଏକ ନକଲି କଲେଜ ଚାଲୁଥିବା ନେଇ ଆମେ ଭିଜିଲାନ୍ସକୁ ଲେଖିଥିଲୁ । ତାହାକୁ ବନ୍ଦ କରି ଦିଆଯାଇଛି । ଏଦିଗରେ ଆମେ ଦୃଷ୍ଟି ରଖିଛୁ । ସୂଚନାଯୋଗ୍ୟ ଯେ ଗତବର୍ଷ ସାରା ଦେଶରେ ୨୬ଟି ନକଲି ବିଶ୍ୱବିିଦ୍ୟାଳୟ ଚିହ୍ନଟ ହୋଇଥିଲା । ଏଥିରେ ଓଡ଼ିଶାର ଦୁଇଟି ଥିଲା । ଉତ୍ତର ଓଡ଼ିଶାରେ ଏକ ନକଲି କୃଷି ବିଶ୍ୱବିଦ୍ୟାଳୟ ଓ ରାଉରକେଲାରେ ଏକ ବିଶ୍ୱବିଦ୍ୟାଳୟ ଚାଲୁଥିବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଥିଲା ।