ୟୁପିଆଇ, ଭୀମ୍ ଓ ରୂପେ କାର୍ଡରେ ପେମେଣ୍ଟ କଲେ ମିଳିବ କ୍ୟାସବ୍ୟାକ୍ ! ଜିଏସଟିରେ ୨୦% ରିହାତି ଦେବେ ସରକାର ।

24

ଜିଏସଟି(ଦ୍ରବ୍ୟ ଓ ସେବା କର) ପରିଷଦର ବୈଠକରେ ଶନିବାର ହୋଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସରକାର ଡିଜିଟାଲ ପେମେଣ୍ଟ ଉପରେ ଜିଏସଟିରେ ୨୦ ପ୍ରତିଶତ ରିହାତି ଦେବା ପାଇଁ ଘୋଷଣା କରିଛନ୍ତି । ଜିଏସଟି ପରିଷଦର ବୈଠକ ପରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡିଜିଟାଲ ପେମେଣ୍ଟ ଉପରେ ଜିଏସଟିରେ ୨୦ ପ୍ରତିଶତ ରିହାତିକୁ ପାଇଲଟ୍ ପ୍ରୋଜେକ୍ଟ ହିସାବରେ ନିଆଯାଇଛି । ରାଜ୍ୟ ସରକାର ଚାହିଁଲେ ଏହାକୁ ଲାଗୁ କରିପାରିବେ । କୌଣସି ରାଜ୍ୟ ସରକାରଙ୍କୁ ଜୋରଜବରଦସ୍ତି କରାଯିବ ନାହିଁ । ଏହି ପ୍ରକଳ୍ପ ଦ୍ୱାରା ସରକାରଙ୍କୁ କେତେ ଲାଭ ବା କ୍ଷତି ହେବ ସେ ନେଇ ଚିନ୍ତା କରାଯାଇ ନାହିଁ ।

ରିପୋର୍ଟ ଅନୁସାରେ ସରାକାରଙ୍କ ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇ ଡିଜିଟାଲ ପେମେଣ୍ଟରେ ଜିଏସଟି ଉପରେ ରିହାତି ଲାଗୁ କରାଯିବ । ଏହାରି ମାଧ୍ୟମରେ ଗ୍ରାହକଙ୍କୁ କ୍ୟାସବ୍ୟାକ୍ ମିଳିବ । ଏହି ରିହାତି କେବଳ ୟୁପିଆଇ, ଭୀମ ଆପସ୍, ୟୁଏସଏସଡି ଓ ରୂପେ କାର୍ଡ ଦ୍ୱାରା ପେମେଣ୍ଟ କଲେ ମିଳିବ । ଏଥି ସହିତ ଅଧିକ ଭାବରେ ୧୦୦ ଟଙ୍କା ପର୍ୟ୍ୟନ୍ତ ରିହାତି ମିଳିବ । ସରକାର ମନେ କରୁଛନ୍ତି ଯେ, ଦେଶର ନିମ୍ନ ଓ ମଧ୍ୟମ ବର୍ଗର ଲୋକେ ଏହି ଆପସଗୁଡ଼ିକ ବ୍ୟବହାର କରୁଛନ୍ତି । ସେହିଭଳି ଗ୍ରାମାଞ୍ଚଳର ଲୋକେ ୟୁପିଆଇ, ଭୀମ ଆପସ୍, ୟୁଏସଏସଡି ଓ ରୂପେ କାର୍ଡ ଅଧିକ ବ୍ୟବହାର କରୁଛନ୍ତି । ଏହା ଦ୍ୱାରା ଦେଶର କମ ଆୟ କରୁଥିବା ଲୋକଙ୍କୁ ଲାଭ ମିଳିବ ।