ବାଲିଗୁଡା ଫେକ୍ ଏନକାଉଂଟର ଘଟଣା : ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

12

କନ୍ଧମାଳ : ବାଲିଗୁଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପ୍ରତି ପରିବାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହା ସହ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ।  ଗୁଗୁଡୁମାହା ଗାଁ ନିକଟରେ ଏନକାଉଂଟର ବେଳେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ଏକ ୨ ବର୍ଷର ଶିଶୁ ଥିବା ଜଣାପଡିଛି । ମୃତକମାନେ ଗୋଟିଏ ଅଟୋରେ ବାଲିଗୁଡାରୁ ବ୍ୟାଙ୍କ କାମ ସାରି ଫେରୁଥିବା ବେଳେ କମ୍ବିଂରେ ଫସି ଯାଇଥିଲେ । ମାଓବାଦୀ ଏବଂ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଏମାନଙ୍କ ମୃତ୍ୟୁ ହୋଇଥିବା କନ୍ଧମାଳ ପୁଲିସ ସୂଚନା ଦେଇଛି । ମାଓବାଦୀମାନେ ତୁମୁଡିବନ୍ଧ ବ୍ଲକର ଗୁଗୁଡୁମାହା ଜଙ୍ଗଲକୁ ଯିବା ଲାଗି ରାସ୍ତା ପାର ହେଉଥିବା ଖବର ପୁଲିସ୍ ପାଖରେ ଥିଲା । ଏନେଇ ଅମ୍ବୁସ ପାଇଁ ପୂର୍ବରୁ ଏସଓଜି ଯବାନମାନେ  ଜଗି ରହିଥିଲେ । ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨ ଜଣ ଏସଓଜି ଯବାନ ମଧ୍ୟ ଆହତ ହୋଇଛନ୍ତି ।