ମନ୍ତ୍ରୀମଣ୍ଡଳରୁ ବିଦା ପରେ କନକ ନ୍ୟୁଜକୁ ଦାମ ରାଉତଙ୍କ ଏକ୍ସକ୍ଲୁସିଭ୍ ଇଂଟରଭ୍ୟୁ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାରେ ମନ୍ତ୍ରୀ ହୋଇଥିଲି, ନିଷ୍ପତିରେ ଦୁଃଖ କରିବାରେ ନାହିଁ

45

କନକ ବ୍ୟୁରୋ: ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପରେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଦାମୋଦର ରାଉତ । ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ  ଇଚ୍ଛାରେ ମନ୍ତ୍ରୀ ହୋଇଥିଲି ।  ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିରେ ଦୁଃଖ କରିବାର ନାହିଁ । ରାଜନୀତି ଏକ ପ୍ରକ୍ରିୟା ମାତ୍ର । ଏବେ ମୁଁ ଲୋକଙ୍କ ପାଇଁ ଅଧିକ ସମୟ ଦେବି’ । ବର୍ତ୍ତମାନ ୨୬ ତାରିଖରେ ପୁରୀରେ ହେବାକୁ ଥିବା ସମାବେଶ ପାଇଁ ବ୍ୟସ୍ତ ଅଛି ବୋଲି କହିଛନ୍ତି ଦାମ । ଦାମ ଆହୁରି କହିଛନ୍ତି,  ‘ମୁଖ୍ୟମନ୍ତ୍ରୀଙ୍କ ଯିଏ ଅସ୍ଥା ହରାଏ ସେ ମନ୍ତ୍ରୀ ପଦବୀରେ ରହେ ନାହିଁ । ବିଧାୟକ ହୋଇ ରହିବାରେ କୌଣସି ଅସୁବିଧା ନାହିଁ’ । ବିଜୁ ବିଚାର ମଂଚ ଉପରେ ଦାମ କହିଛନ୍ତି, ଏହା କୌଣସି ରାଜନୈତିକ ମଂଚ ନୁହେଁ । ଏହି ମଂଚ ଲୋକଙ୍କ ସମସ୍ୟା ପାଇଁ କାମ କରେ । ବ୍ରାହ୍ଣଣଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଗତକାଲି ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ ।

ସେପଟେ ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଖବର ସିରୋନାମା ସାଜୁଥିବା ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ । କହିଛନ୍ତି ସୁପ୍ରିମୋଙ୍କ ବହିଷ୍କାର ନିଷ୍ପତି  ଉଚିତ୍ ଓ ଠିକ୍ । ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ଦାମଦୋର ରାଉତ  ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପକାଉଥିଲେ ବୋଲି ଦେବାଶିଷ କହିଛନ୍ତି । ଦାମଙ୍କ ଏଭଳି ଆଚରଣ ବିରୋଧୀଙ୍କୁ ରାଜନୈତିକ ଖୋରାକ୍ ଯୋଗାଉଥିଲା । ତେଣୁ ଠିକ୍ ସମୟରେ ଉଚିତ୍ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦଳରେ ତାଙ୍କର ବହିଷ୍କାରର ପ୍ରଭାବ ପଡିବନି କିନ୍ତ ନିର୍ବାଚନ ମଣ୍ଡଳୀରେ ପଡିବ । ଜଗତସିଂହପୁରରେ ତାଙ୍କର ଦବଦବା ରହିଛି । ପୁରୀରେ ଆଗକୁ ଥିବା ପ୍ରତିଷ୍ଠା ଉତ୍ସବକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି । ସେ ସବୁ କ୍ଷେତ୍ରରେ ବିଜେପିକୁ କାଉଂଟର କରୁଛନ୍ତି ବୋଲି ପଂଚାନନ କାନୁନଗୋ କହିଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳୀୟ ସାଧାରଣ ସମ୍ପଦକ ପୃଥ୍ୱୀରାଜ ରହିଚନ୍ଦନ କହିଛନ୍ତି ଦାମ ବାବୁ ଯାହା ବି ବିବାଦୀୟ ମନ୍ତବ୍ୟ ଦିଅନ୍ତି ସେ ସବୁ ତୃତୀୟ ମହଲାରୁ ଆରମ୍ଭ ହୁଏ । ଦାମୋଦର ରାଉତ ଯେଉଁଠି, ଯାହା ବି କହୁଥିଲେ ସେଥିରେ ମୁଖ୍ୟମନ୍ତ୍ରୀ ଅଙ୍ଗାଅଙ୍ଗି ଭାବେ ଜଡିତ । ଦାମଙ୍କ ମୁହଁରେ ସୁପ୍ରିମୋ ବିବାଦୀୟ କଥା କୁହାଉଥିଲେ ବୋଲି କହିଛନ୍ତି ପୃଥ୍ୱୀରାଜ । ଯେତେବେଳେ ସେ ସବୁ କଥା ଅଣାୟତ ହେଲା ତାଙ୍କୁ ଅପମାନିତ କରି ବହିଷ୍କାର କରାଯାଇଛି ।