କନକ ବ୍ୟୁରୋ : ୧୯ ନିର୍ବାଚନ ଯୁଦ୍ଧର ଅଧ୍ୟାୟ ଶେଷ । ଦୀର୍ଘ ୨ ମାସ ଧରି ପୂରା ଦେଶରେ ଯେଉଁ ନିର୍ବାଚନ ଯୁଦ୍ଧ ଲାଗି ରହିଥିଲା ତାହାର ପରିସମାପ୍ତି ଘଟିଛି । ଆଉ ଏହାସହ ଦୀର୍ଘ ୨ ମାସ ଧରି ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ନିର୍ବାଚନକୁ ନେଇ ଯେଉଁ କୋଳାହଳ ଦେଖିବାକୁ ମିଳୁଥିଲା ସେଥିରେ ଏକରକମ ପୂର୍ଣ୍ଣଚ୍ଛେଦ ପଡିଛି । ଆଉ ଗାଁରେ ବୁଲିବନି ପ୍ରଚାର ଗାଡି କି କାନ୍ଥରେ ଲାଗିବନି ୱାଲ ପେଣ୍ଟିଂ । ଜିନ୍ଦାବାଦ ପଡିବନି କି ମା’ ମାଉସୀ ଡାକ ଶୁଭିବନି । ଅପେକ୍ଷା ଆର ୫ ବର୍ଷକୁ । ନିର୍ବାଚନ ଶେଷ ହେବା ସହ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇ ଉଠୁଥିବା ଗାଁ ଛକରେ ନିରବତା ଖେଳିଯାଇଛି । ଆଉ ଛକରେ ଦେଖିବାକୁ ମିଳୁନାହିଁ ରାଜନୀତି ପଣ୍ଡିତ ମାନଙ୍କୁ । ଯେଉଁମାନେ ନିର୍ବାଚନ ଯୁଦ୍ଧରେ କିଏ ବିଜୟର ତାଜ୍ ପିନ୍ଧିବ ତାହାକୁ ନେଇ ଭବିଷ୍ୟବାଣୀ କରି ଆସୁଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ଆସିଲେ ନେତାଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ । ଏସି ରୁମରୁ ବାହାରୁନଥିବା ନେତା ଧୁ ଧୁ ଖରାରେ ଗାଁ ଦାଣ୍ଡରେ ବୁଲିଥାନ୍ତି । ଆଉ କିଏ ଲୋକ ଦେଖାଣିଆ ଗରିବ ମାଉସୀର ପଖାଳ କଂସାରୁ ଦି ମୁଠା ପଖାଳ ଖାଇ ଭୋଟରଙ୍କ ଭରସା ଜିତିବାକୁ ପ୍ରୟାସ କରିଥାନ୍ତି । ଖାସ୍ ଖଣ୍ଡିଏ ଭୋଟ ପାଇଁ । ଆଉ ଏଭଳି ଚିତ୍ର ଚଳିତ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା ।
ଚଳିତ ଥର ଉଭୟ ରାଜ୍ୟ ଓ କେନ୍ଦ୍ରରେ ହାଇଭୋଲଟେଜ ନିର୍ବାଚନ ଯୁଦ୍ଧ ଦେଖିବାକୁ ମିଳିଥିଲା । କ୍ଷମତା ଦଖଲ କରିବାକୁ ଜି ଜାନ୍ ଲଗାଇ ଦେଇଥିଲେ ଦଳୀୟ ସୁପ୍ରିମୋ । ନିର୍ବାଚନ ରଣାଙ୍ଗନରେ ବିଜୟ ବାନା ଉଡାଇବା ପାଇଁ ମୈଦାନକୁ ଓହ୍ଲାଇଥିଲେ ଦଳୀୟ ଯୋଦ୍ଧା । ଆଉ ଦଳୀୟ ଯୋଦ୍ଧାଙ୍କ ପ୍ରଚାର ପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମାଳ ମାଳ ବଡ ନେତାଙ୍କ ଭିଡ ଜମିଥିଲା । ପ୍ରଚାର ଠାରୁ ଆରମ୍ଭ କରି ରାଲି ପର୍ଯ୍ୟନ୍ତ କମ୍ପି ଉଠୁଥିଲା ଗାଁ ଦାଣ୍ଡ । ପ୍ରଚାର ମୈଦାନରୁ ପରସ୍ପର ବିରୋଧରେ ଶୁଭୁଥିଲା ଆରୋପ ପ୍ରତ୍ୟାରୋପର ସ୍ୱର । କେତେବେଳେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ ତ ପୁଣି କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ସିଧାସଳଖ ନିଶାନା କରୁଥିଲେ । ଆଉ ଏସବୁ ଭିତରେ ରାହୁଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କରୁଥିଲେ ଡାଇରେକ୍ଟ ଆଟାକ ।
ନିର୍ବାଚନ ସଭାରୁ ପରସ୍ପରକୁ ଦୋଷ ଦେଉଥିବା ନେତା ଭୋଟ ପାଇଁ ଜନତାଙ୍କୁ ଦେଉଥିଲେ ପ୍ରତିଶୃତିର ପୁଳା ପୁଳା ପୁଡିଆ । ଜନତାଙ୍କୁ ଦେଖାଉଥିଲେ ୫ ବର୍ଷର ରଙ୍ଗୀନ ସ୍ୱପ୍ନ । ସେଲଫି ଉଠାଉଥିଲେ, ୪୦ ଡିଗ୍ରୀ ଟାଇଁ ଟାଇଁ ଖରାରେ କର୍ମୀଙ୍କ ସହ ମିଶି ଗାଁ ଦାଣ୍ଡରେ ସଭା କରୁଥିଲେ । ନିଜ ସପକ୍ଷରେ ଭୋଟ ନେବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଥିଲା ମାରାଥନ ପ୍ରଚାର । ଆଉ ଏସବୁ ଭିତରେ ୭ଟି ପର୍ଯ୍ୟାୟରେ ପୂରା ଦେଶରେ ନେତା ଦେଇଥିଲେ ପରୀକ୍ଷା । ଆଉ ଦୀର୍ଘ ୨ ମାସର ପରିଶ୍ରମର ଫଳ ମେ ୨୩ରେ ସାମ୍ନାକୁ ଆସିଥିଲା । କାହାକୁ ଜନତା ପାସ୍ କରାଇଥିଲେ ଓ କାହାକୁ ଫେଲ୍ କରାଇଥିଲେ ତାହାର ଚିତ୍ର ସ୍ପଷ୍ଟ ହୋଇଥିଲା । ରାଜ୍ୟରେ ପୁଣିଥରେ ବିଜେଡି ଉପରେ ଭୋଟର ଭରସା କରିଥିବା ବେଳେ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ମୋଦି ମ୍ୟାଜିକ୍ । ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିପର୍ଯ୍ୟୟର ସାମ୍ନା କରିଥିଲା କଂଗ୍ରେସ ।
ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ସହ ପ୍ରତିଶୃତିର ପର୍ବ ଶେଷ ହୋଇଛି । ନୂଆ ସରକାର ଗଠନ ସହ ଆରମ୍ଭ ହୋଇଛି ପ୍ରତିଶୃତି ପାଳନ କରିବାର ସମୟ । ଗତ ୬୦ ଦିନ ମଧ୍ୟରେ ଜନତାଙ୍କୁ ନେତା ଦେଖାଇଥିବା ସ୍ୱପ୍ନ ଆଗାମୀ ୬୦ ମାସ ମଧ୍ୟରେ ପୂରଣ କରିବେ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । କାରଣ ଉଭୟ ରାଜ୍ୟ ଓ କେନ୍ଦ୍ରରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ଶାସନ ଗାଦିରେ ବସିଛନ୍ତି ଉଭୟ ନବୀନ ଓ ମୋଦି । ନିର୍ବାଚନ ଯୁଦ୍ଧ ସରିଛି ସତ କିନ୍ତୁ ପ୍ରକୃତ ଲଢେଇ ସରକାର ଗଠନ ସହ ଆରମ୍ଭ ହୋଇଛି । ପ୍ରତିଶୃତି ପରେ ଏବେ ପ୍ରଦର୍ଶନ କରିବାର ବେଳ ଆସିଛି ।
ଆଉ ଏସବୁ ଭିତରେ ଗୋଟିଏ ପଟେ ସରକାର ଗଠନ କରିବାର ପ୍ରଥମ ଦିନରେ ପୂର୍ବ ପ୍ରତିଶୃତି ଅନୁଯାୟୀ ବିଜେଡି ସରକାର କାଳିଆ ଟଙ୍କା ପ୍ରଦାନ କରିଥିବା ବେଳେ ନିଜର ଦ୍ୱିତୀୟ ପାଳିର ପ୍ରଥମ ବୈଠକରେ ସହିଦଙ୍କ ପରିବାରକୁ ମୋଦି ସରକାର ଦେଇଛନ୍ତି ବଡ ଭେଟି । ଏହା ସତ୍ତେ୍ୱ ମଧ୍ୟ ନିର୍ବାଚନ ସମୟରେ ଦିଆଯାଇଥିବା ଏମିତି ଅନେକ ପ୍ରତିଶୃତି ବାକି ରହିଛି ଯାହାକୁ ପୂରଣ କରିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହେବାକୁ ଯାଉଛି ।