ମୋଦି ସରକାରଙ୍କ ପ୍ରଥମ ଦିନରେ ଦେଶର ଅର୍ଥନୀତିକୁ ବଡ ଝଟକା । ୫.୮ ପ୍ରତିଶତକୁ ଖସିଲା ଜିଡିପି, ବେକାରି ହାର ୪୫ ବର୍ଷରେ ସର୍ବାଧିକ 

ଦେଶର ମୋଟ୍ ଘରୋଇ ଉତ୍ପାଦ ବା ଜିଡିପି ୫ ଦଶମିକ୍ ୮ ପ୍ରତିଶତକୁ ଖସି ଆସିଛି

894
କନକ ବ୍ୟୁରୋ: ମୋଦି ସରକାରଙ୍କ ପ୍ରଥମ ଦିନରେ ଦେଶର ଅର୍ଥନୀତିକୁ ଲାଗିଛି ଏକ ବଡ ଝଟ୍କା । ଦେଶର ମୋଟ୍ ଘରୋଇ ଉତ୍ପାଦ ବା ଜିଡିପି ୫ ଦଶମିକ୍ ୮ ପ୍ରତିଶତକୁ ଖସି ଆସିଛି । ଯାହା ଗତ ୪ବର୍ଷ ମଧ୍ୟରେ ସର୍ବନିମ୍ନ । ଜାନୁୟାରୀରୁ ମାର୍ଚ୍ଚ ତିନିମାସରେ ଭାରତର ଜିଡିପି ୬ ପ୍ରତିଶତରୁ ତଳକୁ ଖସି ଆସିଛି ।
ମୋଦି ସରକାର ଆଜି ନିଜର ୨ୟ ପର‌୍ୟ୍ୟାୟ କାର‌୍ୟ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ତେବେ ପ୍ରଥମ ଦିନରୁ ହିଁ ଅର୍ଥନୈତିକ ଦିଗରୁ ସରକାରଙ୍କ ପାଇଁ ଏକ ଖରାପ ଖବର ଆସି ପହଞ୍ଚିଛି । ଜାନୁୟାରୀ-ମାର୍ଚ୍ଚ ତିନିମାସରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତ ୪ ବର୍ଷରେ ସର୍ବନିମ୍ନ ।
କୃଷି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଜିଡିପି ହାର କମିଛି ବୋଲି କୁହାଯାଉଛି । ଅନ୍ୟପଟେ ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ୬ ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇଛି ।  କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସହରାଂଚଳର ମୋଟ୍ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୭ ଦଶମିକ୍ ୮ ପ୍ରତିଶତ ବେକାର ଅଛନ୍ତି । ସେହିପରି ଗ୍ରାମାଚଂଳରେ ଏହା ୫ ଦଶମିକ୍ ୨ ପ୍ରତିଶତ ରହିଛି ।