ଏଣିକି ଛୋଟ ବ୍ୟବସାୟୀଙ୍କୁ ମିଳିବ ପେନସନ୍ । ୧୭ ଜୁନରୁ ଚାଲିବ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ, ଜୁଲାଇ ୫ରେ ବଜେଟ୍ ।

266

କନକ ବ୍ୟୁରୋ : ଆସନ୍ତା ଜୁନ୍ ମାସ ୧୭ ତାରିଖରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିବ ସଂସଦ ଅଧିବେଶନ । ଜୁନ୍ ୧୭ ଏବଂ ୧୮ ତାରିଖରେ ସଂସଦରେ ପଦ ଓ ଗୋପନୀୟତାର ଶପଥ ନେବେ ଦେଶର ନବ ନିର୍ବାଚିତ ସାଂସଦ । ଏହା ପରେ ଜୁନ୍ ୧୯ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏବଂ ଜୁନ୍ ୨୦ ତାରିଖରେ ସଂସଦକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ଜୁଲାଇ ମାସ ୫ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ସରକାର । ଏହାର ପୂର୍ବଦିନ ଅର୍ଥାତ ଜୁଲାଇ ୪ ତାରିଖରେ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କର ଏହା ହେବ ପ୍ରଥମ ବଜେଟ । ଗତ ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ଏକ ଲେଖାନୁଦାନ ବା କାମଚଳା ବଜେଟ ଉପସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ପରେ ଆଜି ବସିଥିଲା ପ୍ରଥମ କ୍ୟାବିନେଟ୍ ବୈଠକ । ଆଉ ଏହି ବୈଠକରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଗଠିତ ଶ୍ରମିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନସନ୍ ଦିଆଯିବା ନେଇ ଆଜି କ୍ୟାବିନେଟରେ ନିଷ୍ପତି ହୋଇଛି । ଆଉ ସବୁଠାରୁ ବଡ କଥା ହେଉଛି, ଛୋଟ ବ୍ୟବସାୟୀଙ୍କ ପାଇଁ ଏଣିକି ଆରମ୍ଭ ହେବାକୁ ଯାଉଛି ପେନସନ୍ ଯୋଜନା । ଏହି ଯୋଜନା ଅନୁଯାୟୀ, ୫ କୋଟି ଛୋଟ ବ୍ୟବସାୟୀ ଉପକୃତ ହେବେ । କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।