ପ୍ରଶାସନର ନିଷ୍ପତି ପରେ ଶ୍ରୀମନ୍ଦିରକୁ ଆସିଲା ଓମଫେଡ୍ ଘିଅ ! ହେଲେ ଅପମିଶ୍ରଣ ଅଭଯୋଗ ଆଣିଲା ସୁଆର ମହାସୁଆର ନିଯୋଗ

61

କନକ ବ୍ୟୁରୋ : ଶ୍ରୀମନ୍ଦିର ନୀତିକାନ୍ତିରେ ଶୁଦ୍ଧ ଓମଫେଡ୍ ଘିଅ ବ୍ୟବହାର କରିବା ନେଇ ମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓମଫେଡ ସହାୟତାରେ ମନ୍ଦିର ଭିତରେ ଷ୍ଟଲ ଖୋଲାଯାଇଛି । କିନ୍ତୁ ଶ୍ରୀମନ୍ଦିରରେ ବିକ୍ରି ହେଉଥିବା ଓମଫେଡ ଘିଅର ମାନକୁ ନେଇ ଉଠିଛି ବିବାଦ । ଓମଫେଡ ପକ୍ଷରୁ ଦିଆଯାଉଥିବା ଘିଅ ନିମ୍ନମାନର ବୋଲି ଅଭିଯୋଗ କରିଛି ସୁଆର ମହାସୁଆର ନିଯୋଗ । ଭଲ ଘିଅ ତରଳ ରହିବା କଥା କିନ୍ତୁ ଓମଫେଡ ଘିଅ ପୁରା ଟାଣ ଓ ଚିକିଟା ରହୁଛି ।

ଫଳରେ କିଭଳି ଓମଫେଡ ଘିଅ ଶୁଦ୍ଧ ହେଲା ବୋଲି ପ୍ରଶ୍ନ କରିଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର । କୋଠ ଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓମଫେଡ ଶୁଦ୍ଧ ଘିଅର ବ୍ୟବହାର ପାଇଁ କହିଥିବା ବେଳେ ମହାପ୍ରସାଦ ରାନ୍ଧିବାରେ କିଭଳି ନିମ୍ନମାନର ଘିଅ ବ୍ୟବହାର କରାଯିବ ବୋଲି ସୁଆର ମହାସୁଆର ନିଯୋଗ ପ୍ରଶ୍ନ କରିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓମଫେଡ ଘିଅର ମାନକୁ ଯାଂଚ କରି ତାକୁ ବ୍ୟବହାର କରିବାକୁ ଦିଅନ୍ତୁ ଏବଂ ଖୁବ ଶୀଘ୍ର ଏନେଇ ପଦକ୍ଷେପ ନେବାକୁ ନିଯୋଗ ସଭାପତି ଦାବି କରିଛନ୍ତି ।