ଧନୀ ହାତରେ ବନ୍ଧା ପଡିଛି ଗରିବ ଯୋଜନା! ସରକାରୀ ଚାକିରିଆ ଓ ଜନପ୍ରତିନିଧି ହାତଉଛନ୍ତି ସରକାରୀ ଘର

28

କନକ ବ୍ୟୁରୋ : ହାତ ଗୁଂଜା ବା ପିସି ଦେଇ ସରକାରୀ ଯୋଜନାରୁ ଫାଇଦା ନେବାର ଅନେକ ନଜିର ଆପଣ ଦେଖିଥିବେ । ଏମିତି କି ପିସି ବନ୍ଦ ନେଇ କନକ ନ୍ୟୁଜ୍ ପକ୍ଷରୁ ଏକ ଅଭିଯାନ ବି ଜାରି ରହିଛି । କିନ୍ତୁ ପଦ ଓ କ୍ଷମତାର ଅପବ୍ୟବହାର କରି କେମିତି ସରକାରୀ ଯୋଜନାରୁ ଫାଇଦା ନିଆଯାଏ, ତାର ୨ଟି ଉଦାହରଣ ଆମେ ଦେଖାଇବାକୁ ଚାହିଁବୁ । ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାର । ଯେଉଁଠି ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କ ବାପା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରୁଛନ୍ତି । ଆଉ ଖୋଦ୍ ପୂର୍ବତନ ସରପଂଚଙ୍କ ମା’ ପାଲଟି ଯାଇଛନ୍ତି ହିତାଧିକାରୀ ।

କୋଠାକୁ ଲାଗି ନିର୍ମାଣ ହେଉଛି, ଆଉ ଏକ କୋଠା । ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନାରେ ଘର ତିଆରି କରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ପଂଚାୟତର ଫୁଲେନ୍ଦ୍ର ପଟେଲ । ନିଜର ବିରାଟ୍ ଘରକୁ ଲାଗି ସେଇ ସମାନ ଶୈଳୀରେ ନିର୍ମାଣ କରୁଛନ୍ତି ଆଉ ଏକ ଘର । ତାହା ପୁଣି ସରକାରୀ ଟଙ୍କାରେ । ପୁଅ ବୋହୂ ଚାକିରିଆ, ଆଉ ନିଜେ ଏତେ ପରିମାଣ ଜିମରେ ଚାଷ କରିପାରୁନଥିବାରୁ ଅଧା ଜମିକୁ କରରେ ଲଗାଇ ଦେଇଛନ୍ତି । ଆରାମରେ ଚଳିବା ପାଇଁ ସବୁ ସୁବିଧା ଥିବା ସତ୍ୱେ ୨୦୧୬-୧୭ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ନିର୍ମାଣ ପାଇଁ ମିଳିଛି ଲକ୍ଷେ ୩୦ ହଜାର ଟଙ୍କା । ଆଉ ପଚାରିଲେ କହୁଛନ୍ତି ତାଙ୍କୁ ଯାଚି କି ଘର ଦିଆଯାଇଛି ।

ଖୋଦ୍ ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକରୀ ଦୁଇଟି ଯାକ ଘଟଣାକୁ ସ୍ୱୀକାର କରୁଛନ୍ତି । ଆଉ ସ୍ଥାନୀୟ ବିଡିଓ କହୁଛନ୍ତି ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ । ଏଠି ପ୍ରଶ୍ନ ଉଠୁଛି,ଲୋକଙ୍କୁ ଘର ମିଳୁନଥିବା ବେଳେ ଏମାନଙ୍କୁ ଯାଚି କି କିଏ ଦେଉଛି ସରକାରୀ ଘର ? ଘରେ ସରକାରୀ ଚାକିରିଆ ଥିଲେ ସୁଦ୍ଧା କେମିତି ପରିବାର ସଦସ୍ୟ ପାଉଛନ୍ତି ସରକାରୀ ଘର ? ଖୋଦ୍ ଜନପ୍ରତିନିଧି ଏଭଳି ଅନିୟମିତତା କରୁଥିଲେ ସୁଦ୍ଧା କେମିତି ଜାଣିପାରୁନି ପ୍ରଶାସନ ?