ରାଜ୍ୟ ବିଜେପିର ସଂଶୟ ! ଦିଲ୍ଲୀପ ଆଉ ବିଜୟ

26

କନକ ବ୍ୟୁରୋ : ଜଣେ ବିଧାୟକ ଆଉ ଜଣେ ବରିଷ୍ଠ ନେତା । ହେଲେ ଉଭୟେ ଆଜି ଅସନ୍ତୁଷ୍ଟ । ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ର । ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ପାଇଁ ସମସ୍ତେ ବ୍ୟଗ୍ର । ଦଳୀୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜନତା ମୈଦାନ ସବୁଠି ମାଳ ମାଳ ନେତା ଆଉ କର୍ମୀଙ୍କ ପଟୁଆର । ହେଲେ ଏହି ଦୁଇ ନେତାଙ୍କ ପାଦ କିନ୍ତୁ କେଉଁଠି ବି ପଡିନି । ଏହି ଦୁଇ ନେତା ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ । ହେଲେ, ଶନିବାର ଠାରୁ ଆରମ୍ଭ ହେଉଥିବା ମାନସ ମନ୍ଥନରେ ଏମାନେ ଉପସ୍ଥିତ ରହିବେ କି ନାହିଁ, ସେନେଇ ଚୁପ ରହିଛନ୍ତି । କୁହାଯାଉଛି, ଉଭୟେ ଅସନ୍ତୁଷ୍ଟ ତେଣୁ ମୌକା ଦେଖି ଗୋଟିଚାଳନାରେ ଦୁହେଁ ବ୍ୟଗ୍ର ।

ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଦିଲ୍ଲୀପ ରାୟ । ରାଉରକେଲା ବାବଦରେ ମୋଦି ଦେଇଥିବା ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ ହୋଇନି, ସେନେଇ ଅବଗତ କରାଇଥିଲେ । ସେତେବେଳେ କୁଆଡେ ଦିଲ୍ଲୀପ ନିଜ ଅସନ୍ତୋଷକୁ ମୋଦିଙ୍କ ସାମ୍ନାରେ ରଖିଥିଲେ । ଏପରିକି ବିଜୟ ମହାପାତ୍ର ମଧ୍ୟ ଦିଲ୍ଲୀ ଯାଇ ଶୀର୍ଷ ନେତାଙ୍କ ସହ ଆଲୋଚନା କରିଥିବା କଥାମଧ୍ୟ ଶୁଣିବାକୁ ମିଳିଲା । ତଥାପି ଉଭୟ ନେତା ଯଥାସମ୍ଭବ ଦଳୀୟ କାର୍ଯ୍ୟକ୍ରମ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଗତ କିଛି ଦିନ ଧରି ଦଳର ଆଭିମୁଖ୍ୟ ବାହାରକୁ ଯାଇ ବିଜୟ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ମତ ରଖିଥିଲେ । ସେତେବେଳେ ଏହାକୁ ନେଇ ଝଡ ଉଠିଥିଲା ।

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ଉଭୟଙ୍କ କ୍ଷମତାକୁ ସଂକୁଚିତ କରିଛି । ସେ ଦୃଷ୍ଟିରୁ ଉଭୟେ ଭିନ୍ନ ପନ୍ଥା ଆପଣାଉଥିବା ଚର୍ଚ୍ଚା ହେଉଛି । ଯଦି ଜାତୀୟ କାର୍ଯ୍ୟକାରିଣୀରେ ଏହି ଦୁଇ ନେତା ସାମିଲ ନହୁଅନ୍ତି ତେନେ ସ୍ପଷ୍ଟ ବୁଝିବାକୁ ପଡିବ ଯେ ବିଜେପି ଭିତରେ ଅସନ୍ତୋଷ କୁହୁଳୁଛି । ଆଗାମୀ ଦିନରେ କିଛି ଗୋଟିଏ ବଡ ଧରଣର ନିଷ୍ପତି ଆସିପାରେ । ଆଉ ଯଦି ଉଭୟେ କାର୍ଯ୍ୟକାରିଣୀରେ ସାମିଲ ହୁଅନ୍ତି, ବୁଝାଯିବ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ସେମାନେ ଅସ୍ୱୀକାର କରୁଛନ୍ତି । କେବଳ ମୋଦି ଅମିତ ଶାହାଙ୍କ ପାଇଁ ସେମାନେ ମାନସ ମନ୍ଥନରେ ସାମିଲ ହୋଇଛନ୍ତି ।