ସବୁଠି ସୋଲ ହେଲେ କେନ୍ଦୁଝରରେ ଅଁଳା ଓ ତୁଳସୀ ପତ୍ରରେ ହୁଏ ଗଜବେଶ । ଜାଣନ୍ତୁ ଏହି ନୀତି ସମ୍ପର୍କରେ କିଛି ତଥ୍ୟ…

126

କନକ ବ୍ୟୁରୋ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ମହାସ୍ନାନ କରିବାପରେ ଜରରେ ପଡିଛନ୍ତି ମହାବାହୁ । ଆଜିଠୁ ଆଉ ନିଜର ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଅତ୍ୟଧିକ ସ୍ନାନ କରିବା ପରେ ଜରରେ କାଳିଆ ସାଆନ୍ତ । କାଲି ଦେବସ୍ନାନ ମଣ୍ଡପରେ ମହାସ୍ନାନ କରିବା ପରେ ହାତିବେଶର ଦର୍ଶନ ଦେଇଥିଲେ ବଡଭାଇ ବଳଭଦ୍ର ଓ ସାନ ଭାଇ ଜଗନ୍ନାଥ । ଏହି ନୀତି ଦେଖିବା ପାଇଁ ଭକ୍ତଙ୍କ ମନରେ ଅଶୁମାରି ଆଶା ରହିଥିଲା । ଆଶା ରହିବା ମଧ୍ୟ ସ୍ୱାଭାବିକ । କାରଣ ପ୍ରତିଦିନ ଗର୍ଭ ଗୃହରେ ଦର୍ପଣ ଜରିଆରେ ମହାସ୍ନାନ କରନ୍ତି ଚତୁର୍ଦ୍ଧାମୂରତି ।

କିନ୍ତୁ କାଲି ଗୋଟିଏ ଦିନ ଥିଲା ଯେଉଁ ଦିନରେ ସମସ୍ତଙ୍କ ସମ୍ମୁଖରେ ୧୦୮ ଗରା ଜଳରେ ମହାସ୍ନାନ କରିଛନ୍ତି ଠାକୁର । ଏହି ନୀତି କେବଳ ପୁରୀରେ ନୁହେଁ ବରଂ ଦେଶ ଓ ବିଦେଶରେ ମଧ୍ୟ କରାଯାଏ । ନିଜ ନିଜର ପରମ୍ପରା ମୁତାବକ ବିଭିନ୍ନ ମନ୍ଦିରରେ ଏହା ସମ୍ପାଦନ କରାଯାଏ । ତେବେ ନଜର ପକାନ୍ତୁ ରାଜ୍ୟର କେତେ ପ୍ରମୁଖ ତଥା ଅନ୍ୟ ମନ୍ଦିର ଉପରେ ।

ପୁରୀରେ ଯେପରି ପ୍ରତିଦିନ ନୀତିକାନ୍ତି ହୋଇଥାଏ । ସେପରି ଠିକ କେନ୍ଦୁଝରରେ ମଧ୍ୟରେ ଦୈନଦୀନ ନୀତିକାନ୍ତି କରାଯାଏ । ସ୍ନାନମଣ୍ଡପ ଅବସରରେ ରତ୍ନବେଦୀରୁ ପ୍ରଥମେ ସୁଦର୍ଶନ ପରେ ବଡଭାଇ ବଳଭଦ୍ର, ସୁଭଦ୍ରା ଓ ଶେଷରେ ପ୍ରଭୁ କାଳିଆ ସାଆନ୍ତ ଜଗନ୍ନାଥ ପହଣ୍ଡି ବିଜେ କରିଥିଲେ । ଶୂନ୍ୟ ପହଣ୍ଡିରେ ଆସି ବିରାଜ ହୋଇଥିଲେ ଅଧା ବାଟରେ । କାରଣ ଏଠାରେ ଶୂନ୍ୟ ପହଣ୍ଡି ହେଉଥିବା କାରଣରୁ ଚକାଭିଡାର ଅଧିକ ମହତ୍ୱ ରହିଥାଏ ।

ତେବେ ଏହି ଚକାଭିଡା ପରେ ବାଟପହଣ୍ଡି ଭୋଗ ସହ ପୁଷ୍ପାଞ୍ଜଳି ହେବାର ବିଧି ରହିଛି । ଏହାପରେ ପହଣ୍ଡିଆ ସେବକମାନେ ପହଣ୍ଡି କରନ୍ତି ଶ୍ରୀଜିଉଙ୍କୁ । ଦେବସ୍ନାନ ମଣ୍ଡପରେ ପହଞ୍ଚିବା ପରେ ଯଥାବିଧି ପୂଜା ହେବା ପରେ ମହାସ୍ନାନ କରାଯାଏ । ଏହାପରେ ନିୟମ ଅନୁସାରେ ହାତୀବେଶ ମଧ୍ୟ କରାଯାଏ । ହେଲେ ଏହି ବେଶରେ ବ୍ୟତିକ୍ରମ ଦେଖାଯାଏ । ଅନ୍ୟ ସର୍ବତ୍ର ସୋଲ ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀରେ ହାତିବେଶ ହେଉଥିବା ବେଳେ ଏଠାରେ ଅଁଳା ଓ ତୁଳସୀ ପତ୍ରରେ ହିଁ ଠାକୁରଙ୍କୁ ହାତିବେଶ କରାଯିବାର ବ୍ୟବସ୍ଥା ରହିଛି । ଏହି ବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ନିୟମ ଅନୁସାରେ ବିଳମ୍ବିତ ରାତ୍ରିରେ ଚତୁର୍ଦ୍ଧାମୂର୍ତୀଙ୍କୁ ଅଣସର ପିଣ୍ଡିକୁ ନିଆଯିବା ପରେ ଆରମ୍ଭ ହୋଇଥାଏ ଅଣସର ବା ଗୁପ୍ତନୀତି ।